Odia News Portal

କର୍ପୋରେଟରମାନଙ୍କ ପାପ ମୁଣ୍ଡାଉଛି ମହାନଗର ନିଗମ

ଭୁବନେଶ୍ୱର : କର୍ପୋରେଟରମାନଙ୍କ କଲା କର୍ମର ଫଳ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଭୋଗୁଛି । ପୂର୍ବତନ କର୍ପୋରେଟରମାନଙ୍କ ମଧ୍ୟରୁ କେତେକ ଭୋଟ ଓ ଅର୍ଥ ପାଇଁ ସହରର ଚାରିଆଡେ ସୃଷ୍ଟି କରିଥିବା ମାଳ ମାଳ ବେଆଇନ ବସ୍ତି ଏବେ ମହାମାରୀ କରୋନାର ବାହକ ହୋଇଥିବାବେଳେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ବିଏମ୍‍ସିକୁ ତାହାର ବୁଦ୍ଧିବାଟ ଦେଖାଯାଉ ନାହିଁ । ସରକାରୀ ତାଲିକାରେ ଏବେ ରାଜଧାନୀରେ ୪୩୬ ବସ୍ତି । ଏଥିରୁ ମାତ୍ର ୧୧୧ ହେଉଛି ସରକାରୀ ମାନ୍ୟତାପ୍ରାପ୍ତ । ଅନ୍ୟ ଗୁଡିକୁ ସରକାର ବସ୍ତିର ମାନ୍ୟତା ଦେଇନାହାନ୍ତି । ହେଲେ ପ୍ରକୃତରେ ସହରରେ ଏବେ ବସ୍ତିସଂଖ୍ୟା ହଜାରେ ଟପିଗଲାଣି । ଖୋଲା ସରକାରୀ ଜମି ଠାରୁ ଆରମ୍ଭକରି ରାସ୍ତାକଡ, କ୍ୱାର୍ଟର ମଝିରେ ଥିବା କନଜ୍‍ଭେନ୍ସି, ବିଦ୍ୟାଳୟ ପାଶ୍ୱର୍, ସରକାରୀ ଦପ୍ତର ପାଚେରୀ କଡ, ଯୁୂଆଡେ ଦେଖିବ ସିଆଡେ ବସ୍ତି । ଆଉ ଏହି ବସ୍ତି ଗଠନରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ଲୋକଙ୍କ ସେବା କରିବାର ପ୍ରତିଶ୍ରୁତି ଦେଇ ଜିଣିଥିବା କର୍ପୋରେଟରମାନେ । ଦଳମତ ନିର୍ବିଶେଷରେ କର୍ପୋରେଟରମାନେ ଭୋଟ ପାଇବା ଆଶାରେ ନିଜ ନିଜ ଅଞ୍ଚଳରେ ଏହି ବସ୍ତି ଗଠନକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ।

ଖାଲି ରାତାରାତି ବସ୍ତି ତିଆରି କରିନାହାନ୍ତି, ସେଠାକୁ କିଭଳି ବିଜୁଳି ଓ ପାଣି ଯିବ, ବସ୍ତି ବାସିନ୍ଦା କିଭଳି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ହେବେ, ବସ୍ତିରେ କେଉଁଭଳି ଦୋକାନ ଖୋଲିବ, ବସ୍ତିରେ କିଏ ନିଜ ପସନ୍ଦର ନେତା ହେବ ତାହାର ପ୍ରତ୍ୟକ୍ଷ କାର୍ଯ୍ୟ କର୍ପୋରେଟରମାନେ କରିଛନ୍ତି । ଫଳରେ ସହରର ସାରା ପାଣି ଓ ବିଜୁଳି ଚୋରି ଖୋଲି ଭାବେ ହେଉଥିଲେ ବି ତାହାକୁ ରୋକାଯାଇ ପାରୁନାହିଁ । ବସ୍ତିରେ ଯେତେ ଅଧିକ ଲୋକ ରହିବେ ବସ୍ତି ଗଠନ କରିଥିବା କର୍ପୋରେଟର ଓ ତାଙ୍କ ଦଳକୁ ଭୋଟ ଦେବେ । ଯେତେବେଳେ କର୍ପୋରେଟର ଚାହିଁବେ ସେତେବେଳେ ହାତରେ ପତାକା ଧରି ରାଲି ଓ ପ୍ରଦର୍ଶନୀରେ ଭାଗ ନେବେ । ବସ୍ତି ଗଠନ କର୍ପୋରେଟରମାନେ କେବଳ ଭୋଟ ବ୍ୟାଙ୍କ୍‍ ସୃଷ୍ଟି କରିନାହାନ୍ତି, ସହରର ବହୁ ସ୍ଥାନରେ ନିଜ ନିଜ ଚେଲା ଚାମୁଣ୍ଡାଙ୍କ ଜରିଆରେ ଘର ତିଆରିକରି ବିକ୍ରି କରିଛନ୍ତି । କେତେକ ତ ସରକାରୀ ଜମିକୁ ରାତାରାତି ବିକ୍ରି କରିଦେଇଛନ୍ତି । ଭୋଟ ପାଇଁ କର୍ପୋରେଟରଙ୍କ ଏଭଳି କାର୍ଯ୍ୟକୁ ଅନ୍ଧ ସମର୍ଥନ ଦେଇ ଆସିଛନ୍ତି ସ୍ଥାନୀୟ ବିଧାୟକମାନେ । ଫଳରେ ସହରରେ ଏଭଳି ଶହ ଶଡ ବସ୍ତି ଅଛି ଯେଉଁ ୩/୪ଟି ଘର । ଏହାର ନାଁ ନାହିଁ କି ଠିକଣା ବି ନାହିଁ । ବର୍ଷ ବର୍ଷ ଧରି ଏଭଳି କାରବାର ଲାଗି ରହିଛି । ଏବେ ସହରରେ କରୋନାର କାୟା ଏହି ବସ୍ତି ଗୁଡିକରୁ ହିଁ ବ୍ୟାପିବାରେ ଲାଗିଛି । ସଂଖ୍ୟାଧିକ ବସ୍ତି ବେଆଇନ୍‍ ଓ ଖୋଲାମେଲା ହୋଇଥିବା ଏବଂ ଏଠାରେ ଥିବା ଲୋକଙ୍କ ଠିକଣା ନଥିବାରୁ ବିଏମ୍‍ସି କିଭଳି
କରୋନାକୁ କାବୁ କରିବ ଜାଣିପାରୁ ନାହିଁ । ଗୋଟିଏ ବସ୍ତିକୁ
ଜଗିଲେ ଲୋକେ ରାତାରାତି ଅନ୍ୟ ବସ୍ତିକୁ କରୋନା
ଭୂତାଣୁ ସହିତ ଚମ୍ପଟ ମାରୁଛନ୍ତି । ଏମାନଙ୍କୁ ନିୟନ୍ତ୍ରଣ
କରିବା ସମ୍ଭବ ହେଉନାହିଁ ।

ଏହି ବ୍ୟକ୍ତିଙ୍କ ଆକ୍କା କୁହାଯାଉଥିବା କର୍ପୋରେଟରମାନେ ଆଉ କ୍ଷମତାରେ ନଥିବାରୁ ସେମାନେ ବି ଧରାଛୁଆଁ ଦେଉ ନାହାନ୍ତି । ସ୍ଥାନୀୟ ନେତା ବି ଭୋଟ ବ୍ୟାଙ୍କ୍‍ ଭାଙ୍ଗିଯିବା ଭୟରେ ବସ୍ତି ଲୋକଙ୍କୁ ସମର୍ଥନ କରୁଛନ୍ତି । ତେଣୁ ଅବସ୍ଥା ଯାହା ହେଲା ଆଗାମୀ ଦିନରେ ସହରରେ ଥିବା ସମସ୍ତ ବସ୍ତିରେ କରୋନା
ବ୍ୟାପିବାଟା ଥୟ ବୋଲି ବିଏମ୍‍ସିର କିଛି ଅଧିକାରୀ ସର୍ତ୍ତମୂଳକ ମତ ଦେଉଛନ୍ତି । ସେମାନଙ୍କର କହିବା କଥା ଯେ ଭୋଟ ବ୍ୟାଙ୍କ୍‍ ପାଇଁ ବିଧାୟକ-କର୍ପୋରେଟର ସହରରେ ଯେଉଁ ପାପ କରିଛନ୍ତି ତାହାର ଦଶା ଏବେ ଭୋଗିବାକୁ ପଡୁଛି । ବିପଦ ବେଳେ କିନ୍ତୁ କାହାରି ଦେଖା ଦର୍ଶନ ନାହିଁ ।