Odia News Portal

ଆଉ ଜଣେ ଚର୍ଚ୍ଚିତ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ଲୋକେ ଏଯାଏଁ ଗ୍ରହଣ କରିପାରୁ ନ ଥିବା ବେଳେ ଏବେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମରାଠୀ ଅଭିନେତା ଆଶୁତୋଷ ଭାକ୍ରେ ଆତ୍ମହତ୍ୟା କରିଛନ୍ତି। ଆଶୁତୋଷଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ଖବର ମୁତାବକ, ମହାରାଷ୍ଟ୍ରର ନାନ୍ଦେଡରେ ଥିବା ତାଙ୍କ ଘରେ ଆଶୁତୋଷ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ପୋଲିସର ସୂଚନାନୁସାରେ, ଆଶୁତୋଷଙ୍କ ମୃତଦେହ ନାନ୍ଦେଡରେ ଥିବା ତାଙ୍କ ବଙ୍ଗଳାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏକ ମାସ ପୂର୍ବରୁ ଆଶୁତୋଷ ନାନ୍ଦେଦକୁ ଆସିଥିଲେ। ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଆଶୁତୋଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶୋକର ଲହରୀ ଖେଳିଯାଇଛି । ଅଚାନକ ଆଶୁତୋଷଙ୍କର ମୃତ୍ୟୁ ହେବା ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଶୁତୋଷ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଆଶୁତୋଷ ଭାକ୍ରେ ଡିପ୍ରେସନରେ ଥିଲେ। ଏଥି ସହିତ କିଛି ଦିନ ପୂର୍ବରୁ ସେ ସୋସିଆଲ ସାଇଟ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ। ସେହି ଭିଡିଓରେ ସେ କହିଛନ୍ତି ଯେ ଜଣେ ବ୍ୟକ୍ତି କାହିଁକି ଆତ୍ମହତ୍ୟା କରେ ।

ଆଶୁତୋଷ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କ ସ୍ୱାମୀ ଥିଲେ। ୨୧ ଜାନୁୟାରୀ ୨୦୧୬ ରେ ମୟୂରୀ ଏବଂ ଆଶୁତୋଷ ବିବାହ କରିଥିଲେ । ସେମାନଙ୍କ ସାଂସାରିକ ଜୀବନ ବେଶ୍‌ ହସ ଖୁସିରେ ଚାଲିଥିଲା। ନାନ୍ଦେଡ଼ଙ୍କର ଗଣେଶ ନଗର ଅଞ୍ଚଳରେ ଏକ ବଙ୍ଗଳା ଥିଲା। କିଛି ଦିନ ପୂର୍ବରୁ ଦୁହେଁ ନିଜ ଘରକୁ ଆସିଥିଲେ।

ଆଶୁତୋଷ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ସେ ଇଚାର୍ ଥର୍ଲା ପକ୍କା ନାମକ ଏକ ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବହୁତ ଭଲ ପାଉଥିଲେ। ମୟୂରୀ ମଧ୍ୟ ମରାଠୀ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସେ ସିରିଏଲ ଖୁଲଟା କାଳୀ ଖୁଲେନାଙ୍କଠାରୁ ଆରମ୍ଭ କରି ଘରେ ଘରେ ପରିଚିତ ଥିଲେ। ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି।

ଆଶୁତୋଷଙ୍କ ଆତ୍ମହତ୍ୟା ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବରକୁ ନେଇ ସାରା ଦେଶରେ ଏବେ ବି ଚର୍ଚ୍ଚା ଲାଗି ରହିଛି। ଜୁନ୍ ୧୪ ରେ ସୁଶାନ୍ତ ତାଙ୍କ ମୁମ୍ବାଇ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କୁ ୩୪ ବର୍ଷ ବୟସ ହୋଇଥିଲା। ସୁଶାନ୍ତ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ସେନେଇ ତଦନ୍ତ ଜାରି ରହିଛି। ନିକଟରେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ୍ ବେଚାରା ରିଲିଜ୍ ହୋଇଥିଲା, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି।