ଭୁବନେଶ୍ୱର : ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ପ୍ରକଳ୍ପରେ କାର୍ଯ୍ୟରତ ମହିଳାମାନଙ୍କୁ ରାଜ୍ୟ ସରକାର ସ୍ମାର୍ଟ ଫୋନ୍ ଯୋଗାଇ ଦେବାପାଇଁ ଟେଣ୍ଡର ଚୂଡାନ୍ତ କରିଛନ୍ତି । ତେବେ ଏଲ୍ଜି କମ୍ପାନୀର ସ୍ମାର୍ଟଫୋନ୍ ଯୋଗାଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଓଡିଶାରେ ଯେଉଁ କମ୍ପାନୀର ଫୋନ୍କୁ ସାଧାରଣ ଲୋକେ କିଣିବାକୁ ସେଭଳି ଆଗ୍ରହୀ ନୁହନ୍ତି ରାଜ୍ୟ ସରକାର କାହିଁକି ସେହି କମ୍ପାନୀର ଲକ୍ଷ ଲକ୍ଷ ଫୋନ୍ କିଣିବାକୁ ସ୍ଥିର କରିଛନ୍ତି ତାହାକୁ ନେଇ ଆଲୋଚନା । ଏଥିରେ କାହାର ସ୍ୱାର୍ଥ ନିହିତ ହେବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ସ୍ମାର୍ଟଫୋନ୍ କିଣିବାପାଇଁ ଜାରି କରିଥିବା ଟେଣ୍ଡରରେ ୪ଟି ସଂସ୍ଥା ଚୂଡାନ୍ତ ପର୍ଯ୍ୟାୟକୁ ଆସିଥିଲେ । ଏମାନଙ୍କ ମଧ୍ୟରେ ଏସ୍କୋନେଟ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ଏସ୍ଆଇଏସ୍ଏଲ୍ ଇନ୍ଫୋଟେକ ପ୍ରାଇଭେଟ ଲିମିଟେଡ, ସଷ୍ଟେକ ଆଇଟି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ଓ ଏନ୍ଏଫ୍ ଇନ୍ଫ୍ରାଟେକ ସର୍ଭିସ ପ୍ରାଇଭେଟ ଲିମିଟେଡ ।
ଏହି ସବୁ କମ୍ପାନୀ ଗୁଡିକ ସାମସଙ୍ଗ, ନୋକିଆ, ଏଲ୍ଜି, ଲାଭା, ଓପୋ ଆଦି ବ୍ରାଣ୍ଡର ଟେଲିଫୋନ୍ ଯୋଗାଇବା ନେଇ ଟେଣ୍ଡର ପକାଇଥିଲେ । ଟେଣ୍ଡରରେ ଏଲ୍ଜି ଫୋନ୍ ଯୋଗାଣ ପାଇଁ ସବୁଠାରୁ କମ୍ ଦର ଅର୍ଥାତ ୭୪, ୬୭, ୯୯,୧୬୫ କୋଟି ଟଙ୍କାର ଟେଣ୍ଡର ପକାଇଥିବା ଏନ୍ଏଫ୍ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଏଲ୍ ୱାନ ସ୍ଥାନରେ ରହିଛି । ଅନ୍ୟ କମ୍ପାନୀ ଗୁଡିକ ୭୭କୋଟିରୁ ୮୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥର ଟେଣ୍ଡର ଜାରି କରିଥିଲେ । ତେବେ ରାଜ୍ୟ ସରକାର ଏତେ ବିପୁଳ ପରିମାଣର ସ୍ମାର୍ଟଫୋନ୍ ଖରିଦ କଲାବେଳେ କିଭଳି ବ୍ରାଣ୍ଡ୍ ଉପରେ ନଜର ଦେଲେନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି । କାରଣ ଓଡିଶା ବଜାରରେ ଏଲ୍ଜି କମ୍ପାନୀର ଫୋନ୍ ସେଭଳି ବିକ୍ରି ନାହିଁ । ଏଲ୍ଜି ବି ଅନ୍ୟ କମ୍ପାନୀ ଭଳି ବିକ୍ରି ପରବର୍ତ୍ତୀ ସେବା ଯୋଗାଉନାହିଁ । ରାଜ୍ୟ ସରକାର ଯଦି ଗାଁ ଗହଳର ମହିଳାଙ୍କୁ ଏଲ୍ଜି କମ୍ପାନୀର ଫୋନ୍ ଯୋଗାଇବେ ଓ ସେଥିରେ ତ୍ରୁଟି ଦେଖାଦେଲେ ତାହାକୁ ସେମାନେ କେଉଁଠାରେ ମରାମତି କରିବେ । ସରକାର ଫୋନ୍ର ଦର ଉପରେ ଗୁରୁତ୍ୱ ଦେଇଥିବାବେଳେ ବ୍ରାଣ୍ଡ୍କୁ ଯେଭଳି ଅଣଦେଖା କରିଛନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଅବସ୍ଥା
ସରକାରଙ୍କ ସ୍ୱରାଜ ମାଜ୍ଦା ବସ୍ କିଣିବା ଭଳି ହୋଇଯିବ ବୋଲି କିଛି ଲୋକ ମତ ଦେଇଛନ୍ତି । ଏଲ୍ଜି କମ୍ପାନୀର ଫୋନ୍ କିଣା ସଂକାନ୍ତରେ ଲୋକସେବା ଭବନର କିଛି କର୍ମଚାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ କିଛି ଅଧିକାରୀ ହାତ ଚିକ୍କଣ ଲାଗି ଯେଭଳି ଏଲ୍ ଫୋନ୍ କିଣିବାକୁ ଆଗ୍ରହୀ ହୋଇଛନ୍ତି ତାହା ସରକାରଙ୍କୁ ହରଡଘଣାରେ ପକାଇବ ।
କାରଣ ବର୍ତ୍ତମାନ ସ୍ମାର୍ଟ ନେବାକୁ ଥିବା ମହିଳାମାନେ ବର୍ଷେ ଦୁଇବର୍ଷ ବ୍ୟବହାର ପରେ ଯଦି ମରାମତି ସେବା ନପାଇଲେ ତେବେ ଠିକ୍ ଆସନ୍ତା ନିର୍ବାଚନ ବେଳକୁ ସରକାରଙ୍କ ଉପରେ ଖପ୍ପା ହେବାଟା ଥୟ । ବିରୋଧି ବି ଏହାକୁ ନିର୍ବାଚନୀ ଇସ୍ୟୁ କରିପାରନ୍ତି । ଯାହା ଘରେ ଖରାପ ଫୋନ୍ ଥିବ ସିଏ ସରକାରଙ୍କୁ ଗାଳିଦେବାଟା ଏକ ପ୍ରକାର ଥୟ । ଅତୀତରେ ସରକାର ଏଭଳି ଫୋନ୍ ଚାଷୀମାନଙ୍କୁ ଯୋଗାଇଥିବାବେଳେ ତାହା ସେମାନଙ୍କର କୌଣସି କାମରେ ଆସିନଥିଲା । ହେଲେ ଏବେ କରୋନା କାଳରେ ଲୋକଙ୍କର ସ୍ମାର୍ଟେ ଫାନ୍ର ବିଶେଷ ଆବଶ୍ୟକତା ଥିବାରୁ ସେମାନେ ଏହାର ବହୁ ବ୍ୟବହାର କରିବେ । ତେଣୁ ଓଡିଶାରେ ଯେଉଁ ବ୍ରାଣ୍ଡର ଫୋନ୍ ଅଧିକ ବିକ୍ରି ହେଉଛି ଓ ବିକ୍ରି ପରବର୍ତ୍ତୀ ସେବା ସୁବିଧା ରହିଛି ତାହାକୁ ଖରିଦ ପାଇଁ ମତ ପ୍ରକାଶ ପାଉଛି । ନହେଲେ କିଛି ସରକାରୀ ଅଧିକାରୀ ସିନା ଏଥିରୁ ହାତ ଚିକ୍କଣ କରିବେ କିନ୍ତୁ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେବନାହିଁ । ଓଲଟା ଫୋନ୍ ନେଇଥିବା ବ୍ୟକ୍ତି ହିଁ ଅସନ୍ତୁଷ୍ଟ ହୋଇ ଆଗାମୀ ଦିନରେ ବିରୋଧି ଭୂମିକାରେ ଅବତୀର୍ଣ୍ଣ ହେବେ ।