ଭୁବନେଶ୍ୱର : ରସୁଲଗଡ଼ ଓଭରବ୍ରିଜ ରାଜଧାନୀର ପ୍ରବେଶ ପଥ । ଏହି ଓଭରବ୍ରିଜ ତଳେ ନିର୍ମାଣ ହୋଇଥିଲା ବିଶ୍ୱର ପ୍ରଥମ ‘ପବ୍ଲିକ୍ ଆର୍ଟ ମ୍ୟୁଜିୟମ୍’ । ଏହି ସ୍ଥାପତ୍ୟ କଳା ଜନସାଧାରଣଙ୍କୁ ଜଳର ଆବଶ୍ୟକତା ଓ ତା’ର ସଂରକ୍ଷଣର ଶିକ୍ଷା ଦେବ ବୋଲି ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏମିତି ସ୍ଥାପତ୍ୟ କଳା ପୁଣି ରାଜଧାନୀରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଖୋଲା ଆକାଶ ତଳେ ସ୍ଥାପତ୍ୟ କଳାର ଝଲକ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଉଥିଲେ । ହେଲେ ଏବେ ସେହି ସ୍ଥାପତ୍ୟ କଳାର ତଣ୍ଟି ଚିପି ଦେଇଛି କଳଙ୍କି । ଦିନ ଗଡ଼ିବା ସହିତ ଏହି ସ୍ଥାପତ୍ୟ କଳା ନଷ୍ଟ ହେବାକୁ ବସିଲାଣି । ବର୍ଷେ ପୂରିନି ରଙ୍ଗ ଉଡ଼ି ଗଲାଣି । ଧୂଳିର ଏକ ମୋଟା ଆସ୍ତରଣ ବସିବା ସହିତ କିଛି କିଛି କାରୁକାର୍ଯ୍ୟରେ କଳଙ୍କି ଲାଗିଥିବା ଦେଖିବାକୁ ମିଳୁଛି । ତା’ସହିତ ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ସବୁ ଭାଙ୍ଗି ଗଲାଣି ତ ଅଧା ଚୋରି ହୋଇଗଲାଣି ।
ଏହାକୁ ଦେଖିଲେ ଲାଗୁଛି ସତେଯେମିତି ବିଏମ୍ସି ଓ ଓଏମ୍ସିର ଏଥିପ୍ରତି ନିଘା ନାହିଁ । ଫନି ବାତ୍ୟାରେ ଛାରଖାର ହୋଇଯାଇଥିଲା ଭୁବନେଶ୍ୱର । ବାତ୍ୟା ପରେ ଭୁବନେଶ୍ୱରକୁ ପୁଣି ସଜେଇବା ପାଇଁ ଲାଗି ପଡ଼ିଥିଲେ ସରକାର ଓ କିଛି ଘରୋଇ ସଂସ୍ଥା । ରାଜଧାନୀକୁ ସଜାଇ ତା’ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସାଙ୍ଗକୁ ସାମାଜିକ ବାର୍ତ୍ତା ବି ଦେବା ଭଳି କିଛି କଳାକୃତି କରାଯାଇଥିଲା । ଏମିତି କଳାକୃତି ତିଆରି ହୋଇଥିଲା ଯେ ଲୋକେ ଦେଖି ଶିଖିବା ସହିତ ହୃଦୟରେ ସାଇତି ରିଖିବେ । ଏହି ସ୍ଥାପତ୍ୟ କଳାରେ ଜନସାଧାରଣଙ୍କୁ ଜଳର ଆବଶ୍ୟକତା ଓ ତା’ର ସଂରକ୍ଷଣ ଶିକ୍ଷା ଦିଆଯାଉଥିଲା ।
ଆଜିକାଲିର ଲୋକମାନେ ନଳକୂପର ବ୍ୟବହାର ଭୁଲି ଯାଇଛନ୍ତି । ସେଥିପାଇଁ ଅଦରକାରୀ ମେଟାଲ ସ୍ଲାବକୁ ବ୍ୟବହାର କରି ୨୦ ଫୁଟ୍ ଉଚ୍ଚତାର ଏକ ନଳକୂପ ତିଆରି କରାଯାଇଥିଲା । ବର୍ତ୍ତମାନ ଏହି ନଳକୂପରେ ଧୂଳି ମଳି ବସି, ମେଟାଲ ରଙ୍ଗ ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି । ନଳକୂପ ମୂଳ ସିମେଣ୍ଟ ପଲସ୍ତରା ଭାଙ୍ଗିବାକୁ ଲାଗିଲାଣି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନଳକୂପର ଆବଶ୍ୟକତା ଓ ଜଳ ସଂରକ୍ଷଣର ସୁନ୍ଦର ବାର୍ତ୍ତା ଦେବାକୁ ଛୋଟ ଛୋଟ ନଳକୂପ ତିଆରି କରାଯାଇଥିଲା । ଏବେ ସେଠାରେ ନଳକୂପ ଅଛି, ହେଲେ ଏହାର ଅଧାଅଂଶକୁ କିଏ ଭାଙ୍ଗି ନେଇ ଯାଇଛନ୍ତି । କିଏ ନଳକୂପ ମାରିବା ଷ୍ଟାଣ୍ଡ୍ ଭାଙ୍ଗି ନେଇଛନ୍ତି ତ ଆଉ କିଏ ଏହାକୁ ମୂଳରୁ ଓପାଡ଼ି ନେଇ ଯାଇଛନ୍ତି । ସ୍ଥାପତ୍ୟକଳା ମାଧ୍ୟମରେ ଲୋକଙ୍କୁ ସୁନ୍ଦର ବାର୍ତ୍ତା ଭେଟି ଦେବାର ପ୍ରୟାସ କରିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା । ଓଭରବ୍ରିଜ କାମ ସମୟର ବଳକା ଅଦରକାରୀ ଜିନିଷକୁ ନେଇ ସ୍ମାର୍ଟ ସିଟିର ଆଉ ଏକ ରୂପରେଖ ତିଆରି କରି ‘ଦ ସିଟି ଇନ୍ ଦ ସିଟି’ରେ ଏହାକୁ ନାମକରଣ କରିଥିଲେ । ଯେଉଁଥିରେ ପଞ୍ଚ ତତ୍ତ୍ୱକୁ ଚିତ୍ରକଳା ମାଧ୍ୟମରେ ଦେଖାଇଥିଲେ । ମାନବ ଗୁପ୍ତା ଅଦରକାରୀ ସ୍ଲାବକୁ ନେଇ ତିଆରି କରିଥିବା ସିଂହାସନ କଥା ନକହିବା ଭଲ । ସିଂହାସନ ଉପରେ ଭଙ୍ଗା ଇଟା ପଡ଼ିବା ସହିତ ଏହା ଉପରକୁ ଯିବା ପାଇଁ ପଡ଼ିଥିବା ଚାଦରରେ ମାଟି କାଦୁଅ ପଡ଼ି ରହିଛି । ଚାଦର ଉପରେ କେଉଁଠି ଘାସ ଗଛ ଉଠିଲାଣି ତ ଆଉ କେଉଁଠି ଟେକି ହୋଇ ରହିଛି । ସିଂହାସନ ଉପରେ ତିଆରି ହୋଇଥିବା ଚିତ୍ର ବି ଲିଭିଗଲାଣି ।
ଖାଲି ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟକୁ ଛୋଟ ସ୍ଲାବରେ ରଙ୍ଗ ଦେଇ ଯେଉଁ ଚିତ୍ର ମାଧ୍ୟମରେ ଦେଖାଯାଇଛି ସେଗୁଡ଼ିକରୁ ବି ରଙ୍ଗ ଛାଡ଼ିଲାଣି । ସେହିଭଳି ଭାବେ ବିଭିନ୍ନ ଖେଳାଳିଙ୍କ ଚିତ୍ର ଗୁଡ଼ିକ ବି ନଷ୍ଟ ହେବାକୁ ବସିଲାଣି । ଏହି ସ୍ଲାବ ତଳେ ଘାସ, ପାଣି ଓ ଧୂଳି ଜମି ଖରାପ ହେଲାଣି । ରସୁଲଗଡ଼ ଓଭରବ୍ରିଜ୍ ତଳେ ତିଆରି ହୋଇଥିବା ପବ୍ଲିକ ଆର୍ଟ ମ୍ୟୁଜିୟମ୍କୁ ମାତ୍ର ବର୍ଷେ ପୂରିଲା । ହେଲେ ଏହାକୁ ଏବେ ଦେଖିଲେ ଲାଗିବ ଯେମିତି ବହୁ ଦିନର ପୁରୁଣା କଳାକୃତି । ଏହି ମ୍ୟୁଜିୟମ୍କୁ ଦେଖିଲେ ଲାଗୁଛି ଏହାକୁ କିଏ ଅଧା ଗଢ଼ି ଛାଡି ଦେଇଛନ୍ତି ବା ଶିଳ୍ପୀଟି ଶେଷ ସ୍ପର୍ଶ ଦେବାକୁ ଭୁଲି ଯାଇଛି । କାରଣ ଯେତିକି ସ୍ଥାନରେ କଳାକୃତି ହୋଇଛି ତା’ର ସ୍ଥିତି ଖରାପ ହେବା ସାଙ୍ଗକୁ ଏହାର ଚାରିପଟେ ମଧ୍ୟ ଘାସ ଜଙ୍ଗଲ ସୃଷ୍ଟି ହେଲାଣି ।