ବିକାଶ ପଥରେ ଓଡିଶା । କେନ୍ଦ୍ରାପଡାରେ ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ । ବିନିଯୋଗ ହେବ ୪ ହଜାର କୋଟିରୁ ଅଧିକ ଟଙ୍କା । ୬ ହଜାରରୁ ଅôଧକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ……
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରସ୍ତାବିତ ମହାନଦୀ ବନ୍ଦର ଅଂଚଳ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀଙ୍କ ନେତୃତ୍ୱରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ଏହି ଅଂଚଳ ପରିଦର୍ଶନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।…
୨୦୧୮ ମସିହାରେ ରାଜ୍ୟ ସରକାର ମହାନଦୀ ବନ୍ଦର ସ୍ଥାପନ ନେଇ ନିଷ୍ପତି ନେଇଥିଲେ । ଏନେଇ ଆର ଏଫ କ୍ୟୁ ମଧ୍ୟ ପ୍ରକାଶ କରାଯାଇଥିଲା । କିନ୍ତୁ ନିଲାମଧାରୀଙ୍କ ଆଗ୍ରହ ଅଭାବରୁ ଆଗେଇ ପାରି ନଥିବା ଏହି କାମ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର ପାଇଁ ପ୍ରସ୍ତାବ ରଖିଥିଲେ । ବାର୍ଷିକ ୫୪ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪ ହଜାର ୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡ଼ରେ ପ୍ରସ୍ତୁତ ହେବ ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୨ ମେଟ୍ରିକ ଟନ କ୍ଷମିତା କାର୍ଯ୍ୟକାରୀ ହେବ । ରାଜ୍ୟ ସରକାର ଏଥିପାଇଁ ୩ ଶହ ହେକ୍ଟର ଜମି ଚୟନ କରିଥିବା ବେଳେ ସହାୟକ ଭିତ୍ତିଭୂମି ଦାୟିତ୍ୱ ପାରାଦ୍ୱୀପ ପୋର୍ଟକୁ ଦିଆଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଆଖଡ଼ାଶାଳୀ ଗ୍ରାମ ଅଂଚଳରେ ହେବାକୁ ଯାଉଥିବା ଏହି ବନ୍ଦର ଏକ ବହୁମୂଖୀ ସେବା ଯୋଗାଇବ ବୋଲି ଆଶା ରଖା ଯାଇଛି । ଏହି ପ୍ରକଳ୍ପ ଜରିଆରେ ପ୍ରାୟ ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଆଶା କରାଯାଉଛି । ଏହି ନଦୀ ବନ୍ଦର ସହ ରାଜ୍ୟ ସରକାରଙ୍କ ସହଯୋଗରେ ହରିଦାସପୁର-ପାରାଦୀପ ରେଳ ଲାଇନ କେନ୍ଦ୍ରାପଡା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତୀରେ ମାଇଲଖୁଂଟ ସାବ୍ୟସ୍ତ ହେବ ।