Odia News Portal

ହକି ପାଇଁ ନବୀନଙ୍କୁ ଏଫଆଇଏଚର ସ୍ବତନ୍ତ୍ର ସମ୍ମାନ

ଭୁବନେଶ୍ବର () ରାଜ୍ୟରେ କ୍ରିଡାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନିୟମିତ ଉଦ୍ୟମକୁ ପ୍ରଶଂସା କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଫେଡେରେସନ ଅଫ ଇଣ୍ଡିଆନ ହକିର ସଭାପତି ପୁରସ୍କାର ପ୍ରଦାନର ଘୋଷଣା କରାଯାଇଛି । ନଭେମ୍ବର 1 ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ବିରାଟ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପାଇଁ ଫେଡେରେସନ ଅଭିନନ୍ଦନ ଜଣାଇଛି ।

ହକି ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ହକିର ଲୋକପ୍ରିୟତା ଏବଂ ଆସନ୍ତା ନଭେମ୍ବର 28 ତାରିଖରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ବକପକୁ ସଫଳତାର ସହ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଏବଂ ଉତ୍ସାହ ପାଇଁ ନବୀନ ପଟ୍ଟନାୟକଙ୍କୁ ଏହି ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଉଛି । ନିକଟରେ ନୂଆଦିଲ୍ଲୀରେ ଶେଷ ହୋଇଥିବା 46ତମ ହକି ଫେଡେରେସନ କଂଗ୍ରେସରେ କ୍ରିଡା ପ୍ରେମୀ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଜାତୀୟ କ୍ରିଡାର ବିକାଶ ପାଇଁ ନବୀନ ପଟ୍ଟନାୟକ କରିଥିବା ଉଦ୍ୟମକୁ ହକି ଇଣ୍ଡିଆ ଉଚ୍ଚ ପ୍ରଶଂସା କରିଛି । ଏଥିସହିତ ନବୀନ ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଟିମର ପ୍ରାୟୋଜକ ହୋଇଛନ୍ତି । ତେଣୁ ହକି ପ୍ରତି ନବୀନଙ୍କ ଆଗ୍ରହ ଏବଂ ଆକର୍ଷଣ ପାଇଁ ହକି ଇଣ୍ଡିଆ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛି ।

ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ ଅହମଦ କହିଛନ୍ତି ଯେ, ଫେଡେରେସନ ଅଫ ହକି ସଭାପତି ପୁରସ୍କାର ପାଇଁ ନବୀନ ହେଉଛନ୍ତି ସବୁଠାରୁ ଯୋଗ୍ୟ ବ୍ୟକ୍ତି । କାରଣ ସେ ଲଗାତାର ଭାବେ ରାଜ୍ୟରେ କ୍ରିଡା ବିଶେଷ କରି ହକିର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି । ଓଡିଶାରେ ହକି ବିଶ୍ବକପର ଆୟୋଜନ କରି ନବୀନ ପଟ୍ଟନାୟକ ପ୍ରମାଣିତ କରିଛନ୍ତି ଯେ, ଭାରତର ଏହି ଲୋକପ୍ରିୟ ଏବଂ ଜାତୀୟ ଖେଳ ପ୍ରକୃତ କ୍ରିଡାପ୍ରେମୀଙ୍କ ସମ୍ମୁଖରେ ଖେଳାଯିବ ।