ଭୁବନେଶ୍ୱର- ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ସେ ଏହି ପଦବିରେ କାର୍ୟ୍ୟ କରିବେ । ଓଡ଼ିଶା କ୍ୟାଡରର ଏହି ଅଧିକାରୀ ତାଙ୍କର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ୟ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।
୧୯୬୨ ମସିହାରେ ଶ୍ରୀ ମହାପାତ୍ର ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ ସେ । ଏହାପରେ ୧୯୮୫ରେ ସେ ଆଇଏସମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ।
ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ। ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଘଟଣାଚକ୍ରରେ ଜଗନ୍ନାଥ ଧାମ ପୁରୀ ସହ ତାଙ୍କର ଗଢ଼ି ଉଠିଥିଲା ନିଆରା ସଂପର୍କ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ବରେ ଥିବା ଜବରଦଖଲକୁ ହଟାଇ ନବକଳେବର ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ । ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ। ଦୀର୍ଘ ୩ ବର୍ଷ ଧରି ସେ ଏହି ପଦବୀରେ ରହି ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବାରେ ବ୍ରତୀ ରହିଥିଲେ । ତେବେ ଏହାପରେ ୨୦୧୫ ମସିହାରେ ଶ୍ରୀଜଗନ୍ନାଥଙ୍କ ନବକଳେବରର ଅବ୍ୟବହିତ ପୂର୍ବରୁ ତାଙ୍କୁ ପୁଣି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଥିଲା। ଜଗନ୍ନାଥ ମନ୍ଦିର ସହ ତାଙ୍କର ସଂପର୍କ ଏବେ ବି ଅତୁଟ ରହିଛି, ସଂପ୍ରତି ସେ ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ୟ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି।
.ସେହିପରି ଦଙ୍ଗାଗ୍ରସ୍ତ ଜିଲ୍ଲାରେ ପରିସ୍ଥିତି ସୁଧାରିବାରେ ଶ୍ରୀ ମହାପାତ୍ରଙ୍କର ରହିଛି ବିଶେଷ ଦକ୍ଷତା ଓ ଅଭିଜ୍ଞତା । ୧୯୯୩ ମସିହାରେ ସଂପ୍ରଦାୟିକ ଦଙ୍ଗାଗ୍ରସ୍ତ ହୋଇଥିବା ନବଗଠିତ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଥିଲା ତାଙ୍କୁ। ଏହାପରେ କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହାର ନିୟନ୍ତ୍ରଣ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ସେଠାକୁ ଜିଲ୍ଲାପାଳ ଭାବେ ପଠାଇଥିଲେ। କନ୍ଧମାଳରେ ଅତ୍ୟନ୍ତ ଦକ୍ଷତାର ସହିତ ସେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ୨୦୦୮ ମସିହାରେ ପୁଣି ଥରେ ଦଙ୍ଗାଗ୍ରସ୍ତ ହୋଇଥିଲା କନ୍ଧମାଳ ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାପାତ୍ରଙ୍କୁ ସେଠାକୁ ପଠାଇଥିଲେ।
ସେ କଟକର ଆରଡିସି, ଶକ୍ତି ସଚିବ, ଜଳ ସମ୍ପଦ ସଚିବ ଏବଂ ଜଙ୍ଗଲ ବିଭାଗର ସଚିବ ଭାବେ ପ୍ରାୟ ୧୦ ବର୍ଷ ଅତିବାହିତ କରିଥିଲେ। ଏହି ସମୟ ମଧ୍ୟରେ ଶ୍ରୀ ମହାପାତ୍ର ବହୁ ସଫଳତାର ସହିତ ମେଗା ଲିଫ୍ଟ, ଡିପ୍ ବୋରୱେଲ୍, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନାର ଆରମ୍ଭ କରିଥିଲେ ଜ୍ଝ ଏହି କାର୍ୟ୍ୟକ୍ରମଗୁଡିକ ଖୁବ୍ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭାବେ ପରିଗଣିତ ହୋଇଥିଲା।
ଏଥିସହିତ ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ର ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ, ସେସୁର ସିଇଓ ଏବଂ ଗ୍ରିଡକୋର ସିଏମଡି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହି ରାଜ୍ୟ ସରକାରଙ୍କ ବ୍ୟାବସାୟିକ ସଂସ୍ଥାକୁ ସୁପରିଚାଳିତ କରିଥିଲେ। ରାଜ୍ୟ ପ୍ରଶାସନର ମୁଖିଆ ଭାବେ ସେ ଦୀର୍ଘ ସମୟ ଅତିବାହିତ କରିବେ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ତାଙ୍କ ଠାରୁ ଏକ ପାରଦର୍ଶୀ ଓ ବିକାଶୋନ୍ମୁଖୀ ପ୍ରଶାସନର ଅପେକ୍ଷା ରଖନ୍ତି।