ଆର୍ଥିକ ଉତ୍ତରଦାୟିତ୍ବ କିଏ ନେବେ?
ଭୁବନେଶ୍ବର () : ରାଜ୍ୟ ପୂର୍ତ୍ତ ବିଭାଗ ଏବେ ଠିକାରେ ଚାଲିଛି । ଖୋଦ୍ ବିଭାଗର ସଚିବ ନଳିନୀକାନ୍ତ ପ୍ରଧାନ ବର୍ଷିକିଆ ଠିକା ନିଯୁକ୍ତି ପାଇଥିବାବେଳେ ସରକାର ଏବେ ପୁଣି ଆଉ ୩୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଠିକା ନିଯୁକ୍ତି ଦେଇଛନ୍ତି । ଅବସରପ୍ରାପ୍ତ ଏହି ବୁଢା ଯନ୍ତ୍ରୀମାନେ କିଭଳି କଠୋର ପରିଶ୍ରମ କରି ରାଜ୍ୟର ଉନ୍ନୟନ କାର୍ଯ୍ୟକୁ ଆଗେଇନେବେ ତାହା ଏୋବ ସଚିବାଳୟରେ ଆଲୋଚନାର ବିଷୟବସ୍ତୁ ହୋଇଥିବାବେଳେ କେତେକ ଏହାକୁ ନିର୍ବାଚନୀ କାରବାର ସହିତ ଯୋଡି ଆଲୋଚନା କରୁଛନ୍ତି । ଏଥିସହିତ ଠିକା ଯନ୍ତ୍ରୀମାନେ ନିଯୁକ୍ତି ପାଇବା ପରେ ଏବେ ଆର୍ଥିକ ପରିଚାଳନାର ଉତ୍ତରାଦାୟିତ୍ବ କାହା ଉପରେ ନ୍ୟସ୍ତ କରାଯିବ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।
ସରକାରୀ ଚାକିରିରେ ଆଉ ଠିକା ନିଯୁକ୍ତି ହେବନାହିଁ ବୋଲି ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି ହେବାପରେ ଏହାକୁ ପୂର୍ତ୍ତ ବିଭାଗ ବାଏଁ ବାଏଁ ଉଡାଇ ଦେଇଛି । ଆବଶ୍ୟକତାକୁ ଆଳ କରି ପୂର୍ତ୍ତ ବିଭାଗ ଇତି ମଧ୍ୟରେ ୩୩ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ଠିକାରେ ନିଯୁକ୍ତି ଦେଇଛି । ବିଭାଗୀୟ ସଚିବ ସ୍ବୟଂ ଠିକାରେ ଥିବା ଯୋଗୁଁ ଏହାର ବିରୋଧ କରୁନାହାନ୍ତି । ରାଜ୍ୟରେ ମାଳ ମାଳ ବେକାର ଇଞ୍ଜିନିୟର ଚାକିରି ଖଣ୍ଡେ ପାଇଁ ସରକାରଙ୍କ ନିକଟରେ କାକୁତି ମିନତି ହେଉବେଳେ କାହା ସ୍ବାର୍ଥରେ ଏହି ଯନ୍ତ୍ରୀମାନଙ୍କୁ ସରକାର ଠିକା ନିଯୁକ୍ତି ଦେଇଛନ୍ତି ତାହା ନେଇ ଏବେ ପ୍ରଶ୍ନ ଉଠିଲାଣି ।
ରାଜ୍ୟର ଉନ୍ନୟନ କାର୍ଯ୍ୟ ରହିଛି ଯନ୍ତ୍ରୀମାନଙ୍କ ହାତରେ । ଏମାନେ ହେଉଛନ୍ତି ସରକାର ବିକାଶର ଚାବିକାଠି । ତେଣୁ ବିଭାଗରେ ଦକ୍ଷ ଓ ଯୁବ ଯନ୍ତ୍ରୀଙ୍କର ଆବଶ୍ୟକ ରହିଛି । ହେଲେ ପୂର୍ତ୍ତ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଏବେ ଠିକା ନିଯୁକ୍ତି । ନିଜେ ସଚିବ ଶ୍ରୀ ପ୍ରଧାନ ଠିକାରେ ଚାକିରି ବିତାଉଥିବାବେଳେ ଅନ୍ୟମାନଙ୍କ ଠିକା ନିଯୁକ୍ତିକୁ ବିରୋଧ କରିପାରୁ ନାହାନ୍ତି । ବରଂ ତାଙ୍କ ଜାଣତରେ ଏଭଳି ଠିକା ପ୍ରୀତି ଚାଲିଥିବା କିଛି ଯନ୍ତ୍ରୀ କହୁଛନ୍ତି । ସେମାନଙ୍କ ମତ ହେଲା ପୂର୍ତ୍ତ ବିଭାଗରେ ଏବେ କିଛି ଯନ୍ତ୍ରୀ ଗୋଷ୍ଠି ସୃଷ୍ଟି ହୋଇଥିବାବେଳେ ଏଥିରେ ସଚିବଙ୍କ ଗୋଷ୍ଠି ପ୍ରଭାବଶାଳୀ ରହିଛି । ଆଗକୁ ନିର୍ବାଚନ ଥିବାରୁ ଏହି ଗୋଷ୍ଠିକୁ ବି ସରକାର ଅସନ୍ତୁଷ୍ଠ କରିବାକୁ ରାଜି ନୁହନ୍ତି । ତେଣୁ ମନଇଚ୍ଛା କାରବାର ଚଳାଇଛନ୍ତି । ଠିକାଯନ୍ତ୍ରୀମାନେ ମେଳ ହୋଇ ବ୍ୟାପକ ବେନିୟମ କାର୍ଯ୍ୟରେ ବି ମାତିଛନ୍ତି ।
ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ ଅବସର ପରେ ପ୍ରାୟ ୫୦ ହଜାର କର୍ମଚାରୀ ଠିକା ନିଯୁକ୍ତି ପାଇଥିବାବେଳେ ସେମାନଙ୍କୁ ବିଦା କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଏପରିକି ଆଉ ଠିକା ନିଯୁକ୍ତି ଦିଆଯିବାନାହିଁ ବୋଲି ସରକାର ପ୍ରଚାର କରାଇଥିଲେ । ହେଲେ ନିଷ୍ପତ୍ତି ତା ବାଟରେ ଥିବାବେଳେ କାମ କିନ୍ତୁ ଅନ୍ୟ ବାଟରେ ଚାଲିଛି । ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତା ଆଳରେ ୩୩ ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ଠିକା ନିଯୁକ୍ତି ଦିଆଯାଇଛି । ଏହି ଅବସରପ୍ରାପ୍ତ ଯନ୍ତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ହୋଇଥିବାବେଳେ ଆଉ କେତେକ ସହକାରୀ ଯନ୍ତ୍ରୀ ବି ଅଛନ୍ତି । କିଏ ରାଜଧାନୀରେ ଠିକା ନିଯୁକ୍ତି ପାଇଛି ଆଉ କିଏ ଝାରସୁଗୁଡାରେ । ଓଡିଶା ସେତୁ ନିର୍ମାଣ ନିଗମରେ ବି କେତେକଙ୍କୁ ଥଇଥାନ କରାଯାଇଛି ।
ବୟସର ଅପରାହ୍ନରେ ଅବସର ନେଇଥିବା ଏହି ଯନ୍ତ୍ରୀମାନେ ପୁଣିଥରେ ଓଏସ୍ଡି ଭାବେ କିଭଳି କାର୍ଯ୍ୟ କରିବେ ବୋଲି ଏବେ ବେକାର ଯନ୍ତ୍ରୀମାନେ ପ୍ରଶ୍ନ ଉଠାଇଲେଣି । କେତେକ ଯନ୍ତ୍ରୀଙ୍କ କହିବାକଥା ହେଲା ନିର୍ବାଚନୀ ଚାନ୍ଦା ଯୋଗୁଁ ଏଭଳି କାରବାର ହୋଇଛି । ସଚିବଙ୍କ ପ୍ରୋତ୍ସାହନରେ ସବୁକିଛି ଚାଲିଥିବାବେଳେ ବିଭାଗୀୟ ମନ୍ତ୍ରୀ ବି ଜାଣିଛନ୍ତି । ହେଲେ କେହି ମୁହଁ ଖୋଲୁନାହାନ୍ତି । ଅବସର ପରେ ବୁଢା କର୍ମଚାରୀମାନେ ଆଉ ଚାକିରି କରିବାକୁ ସକ୍ଷମ ନୁହେଁ ବୋଲି ଅନୁଭବ କରି ଖୋଦ୍ ସରକାରୀକଳ ଏଭଳି କାରବାର ଉପରେ କଟକଣା ଜାରି କରିଥିବାବେଳେ କାହା ସ୍ବାର୍ଥରେ ଏହି ଠିକା ନିଯୁକ୍ତି ଦିଆଗଲା ଓ ସଚିବ କାହଁକି ଏହାକୁ ବିରୋଧ କଲେନାହିଁ ଏବଂ ଏମାନେ କି ପ୍ରକାର କାର୍ଯ୍ୟ କରି କାହାକୁ ସନ୍ତୁଷ୍ଟ କରିବେ ତାହା ଏବେ ପ୍ରଶାସନିକ ସ୍ତରରେ ଆଲୋଚନାର ବିଷୟବସ୍ତୁ ହୋଇଛି ।