ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ହେବ ରେମେଡିଆଲ କ୍ଲାସ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତୀଙ୍କର ରେମେଡିଆଲ କ୍ଲାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ପୁରୁଣା ପାଠ ରିଭିଜନ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାବର୍ଷର କ୍ଲାସ ଆରମ୍ଭରୁ ୨ରୁ ୩ ମାସ ପର୍ଯ୍ୟନ୍ତ ରିଭିଜନ କ୍ଲାସ ହେବ। ଏଥିରେ ଛାତ୍ରଛାତ୍ରୀ ପୁରୁଣା ବର୍ଷର ପାଠ ପଢିବେ । ସବୁ ସରକାରୀ , ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସମସ୍ତେ ପାସ୍ ହେବାନେଇ କିଛିଦିନ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ ।
କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅସୁବିଧା ହୋଇଥିଲା । ତେଣୁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ ଘୋଷଣା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏପ୍ରିଲ ମାସରୁ ଶିକ୍ଷା ବର୍ଷ ଆରମ୍ଭ ନହୋଇ ଜୁନ୍ ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।