ଗଜପତି ମହାରାଜଙ୍କ ଛେରା ପହଁରା ନୀତିର ଉଚ୍ଛେଦ ପାଇଁ ହୋଇଥିଲା ସୁପାରିଶ
ଭୁବନେଶ୍ବର () ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ଏବେ ରାଜ୍ୟ ସରକାରଙ୍କ ଠାରୁ ସୁପ୍ରିମ କୋର୍ଟଙ୍କ ଯାଏଁ କେତେ କଣ ତର୍ଜମା ହେଉଛି, ରିପୋର୍ଟ ଆସୁଛି, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ହେଉଛି । ହେଲେ ୪୦ବର୍ଷ ତଳେ ଓଡିଶାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦେଇଥିବା ସୁପାରିଶକୁ ସମସ୍ତେ ଭୁଲିଗଲେ । ଏ ସଂପର୍କରେ ଏବେ ଆଉ ଆଲୋଚନା ମଧ୍ୟ ହେଉନାହିଁ । ନହେବା ବି ସ୍ବାଭାବିକ । କାରଣ 40 ବର୍ଷ ତଳର ଏହି ରିପୋର୍ଟରେ ମଧ୍ୟ ତିରୁପତି ଢାଞ୍ଚାରେ ଶ୍ରୀମନ୍ଦିରରେ କର୍ମଚାରୀ ନିଯୁକ୍ତି ଓ ଗଜପତି ମହାରାଜଙ୍କ ଛେରା ପହଁରା ସେବା ଉଚ୍ଛେଦ ପାଇଁ ସୁପାରିଶ କରାଯାଇଥିଲା ।
ତକ୍ରାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୯୭୮ ଏପ୍ରିଲ ୭ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟିରେ ପୁରୀ ଗଜପତି ମହାରାଜା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ଓ ଡକ୍ଟର ହରେକୃଷ୍ଣ ମହତାବ, ସମାଜ ସମ୍ପାଦକ ଡକ୍ଟର ରାଧାନାଥ ରଥ, ପୂର୍ବତନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନଗୋ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ହରିହର ମହାପାତ୍ର, ପୂର୍ବତନ ବାଚସ୍ପତି ନନ୍ଦ କିଶୋର ଦାସ, ଏମାର ମଠ ମହନ୍ତ ଅଯୋଧ୍ୟା ପ୍ରସାଦ ଦାସ ପ୍ରମୁଖ ସଦସ୍ୟ ଥିଲେ ।
ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏହି କମିଟିର ବୈଠକ ଏକାଧିକ ଥର ବସିଥିଲା ଏବଂ ରାଜ୍ୟପାଳ ମଧ୍ୟ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇ ଶ୍ରୀମନ୍ଦିର ସଂସ୍କାର ସଂକ୍ରାନ୍ତରେ ରିପୋର୍ଟରେ ଥିବା ସୁପାରିଶ୍ କାର୍ଯ୍ୟକାରୀ କରିବାକୁ ଚାହିଁଥିଲେ । ସେବାୟତମାନଙ୍କ ପାରମ୍ପରିକ ସତ୍ତ୍ବ ଓ ଅଧିକାରକୁ ଉଚ୍ଛେଦ କରି ସେମାନଙ୍କୁ ତିରୁପତି ମନ୍ଦିର ଢାଞ୍ଚାରେ ଶ୍ରୀମନ୍ଦିରର କର୍ମଚାରୀ ଭାବରେ ନିଯୁକ୍ତି ଦେବାକୁ ସେତେବେଳେ ବି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏହି ରିପୋର୍ଟରେ ଥିବା ସୁପାରିଶ୍ କାର୍ଯ୍ୟକାରୀ ହୋଇଥିଲେ ଗଜପତି ମହାରାଜାଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବେ ରଥ ଉପରେ ଛେରା ପହଁରା କରିବାର ପାରମ୍ପରିକ ଅଧିକାର ରହିବ ନାହିଁ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଉପରେ ରାଜ୍ୟପାଳ ଏହି ସୁପାରିଶ୍ର କାର୍ଯ୍ୟକାରିତା ପାଇଁ ଚାପ ପ୍ରୟୋଗ କରୁଥିଲେ । ତେବେ ଗଜପତିଙ୍କୁ ତାଙ୍କ ସେବାରୁ ଉଚ୍ଛେଦ କରାଗଲେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସେତେବେଳ ଠାରୁ ଏପର୍ଯ୍ୟନ୍ତ ଏହି ରିପୋର୍ଟ ପଡିରହିଛି ।
ଏହି ରିପୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ମୂଲ୍ୟବାନ ସମ୍ପତ୍ତିର ଯାଞ୍ଚ ପାଇଁ ଯେଉଁ ସୁପାରିଶ୍ ଥିଲା ତାହାକୁ କିନ୍ତୁ ସରକାର ଗ୍ରହଣ କରିନେଇ ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧକାରୀ ଓ ସେବାୟତ ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ ଓ ସେତେବେଳେ ଏହି କମିଟି ତତ୍ତ୍ବାବଧାନରେ ରତ୍ନଭଣ୍ଡାରର ସମ୍ପତ୍ତି ଆକାଳନ କରାଯାଇଥିଲା । ଇତି ମଧ୍ୟରେ ୪୦ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ବି ରତ୍ନଭଣ୍ଡାର ଚାବି ହଜିଥିବା ଆଳରେ ଆଉ ଏହି ମୂଲ୍ୟବାନ ସମ୍ପତ୍ତିର ପୁନଃ ଆକଳନ କରାଯାଉନଥିବା ଘେନି ପୁସ୍ତକରେ ଉଲ୍ଲେଖ ଅଛି । ୧୯୭୭ର ନବକଳେବର ସମୟରେ ବଳଭଦ୍ରଙ୍କ ରଥର ଛଅଟି ଚକ ଭାଙ୍ଗିଯିବା ଘଟଣାରେ ରାଜ୍ୟ ସରକାର ତୁରନ୍ତ ବିଚାର ବିଭାଗୀୟ କମିଶନ ବସାଇଥିବା ସଂକ୍ରାନ୍ତରେ ଏଥିରେ ଉଲ୍ଲେଖ କରାଯାଇଛି ।
ସେତେବେଳର ଆଇନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ଲିଖିତ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ରେ ଏହି ସଂସ୍କାର କମିଟି ସଂକ୍ରାନ୍ତରେ ବିଶେଷଭାବେ ଉଲ୍ଲେଖ କରାଯାଇଛି ।