ଚଣ୍ଡିଖୋଲରେ ପେଟ୍ରୋଲିୟମ ରିଜର୍ଭ ନିର୍ମାଣ ପ୍ରସଙ୍ଗ: ୬୫୦୦ କୋଟିର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ନିବେଦନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ୬,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରସଙ୍ଗରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ପ୍ରଥମ ପ୍ରକଳ୍ପକୁ ଇଡ଼କୋ ଦ୍ୱାରା ସିଙ୍ଗିଲ୍ ୱିଣ୍ଡେ ଅନୁମତି ପ୍ରଦାନ । ଦ୍ୱିତୀୟ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୬୦୦ ଏକର ଭୂମି ଯାହା ସରକାର ମାଲିକାନାରେ ରହିଛି ଏହା ତୁରନ୍ତ ପ୍ରଦାନ କରିବା । ତୃତୀୟ ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି । ଚତୁର୍ଥ ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି । ପଂଚମ ପ୍ରସ୍ତାବିତ ଅଂଚଳରେ ପଥର ଖନନ କାମକୁ ବନ୍ଦ କରିବା । ଷଷ୍ଠ ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଗତ ଜୁନ୍ ୨୭,୨୦୦୧୮ରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଥିଲା । ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ୱର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ପ୍ରକଳ୍ପରେ ୬,୫୦୦ କୋଟି ଟଙ୍କାର ସିଧା ସିଧା ପୁଞ୍ଜି ନିବେଶ ସହ ପାରାଦ୍ୱୀପ ଠାରେ ପ୍ରତିଷ୍ଠା ହେବାକୁ ଥିବା ପିସି ପିଆଇଆର୍ ପ୍ରକଳ୍ପକୁ ସହଯୋଗୀ ହେବା ସହ ରାଜ୍ୟକୁ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ପେଣ୍ଠସ୍ଥଳୀ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖିଛନ୍ତି ଏହି ପ୍ରକଳ୍ପ ରାଜ୍ୟରେ ନିଯୁକ୍ତି ସୁଯୋଗର ବଡ଼ ସମ୍ଭାବନା ତିଆରି କରିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୫ ବର୍ଷ ଧରି ଚାଲିବା ବେଳେ ଦୈନିକ ୪ ହଜାର ଲୋକ କାମ କରିବାର ଆବଶ୍ୟକତା ରହିବ । ଏହି ପ୍ରକଳ୍ପ ଯୋଗୁଁ ଆନୁସଙ୍ଗିକ ଶିଳ୍ପ ବିଶେଷ ଭାବରେ ଟ୍ରାଭେଲ୍ ଓ ହସ୍ପିଟାଲିଟି ସେବାର ଆବଶ୍ୟକତାକୁ ବୃଦ୍ଧି କରିବ । ଏହି ପ୍ରକଳ୍ପ କ୍ରିୟାନ୍ୱୟନ ହେବା ଦ୍ୱାରା ଆନୁମାନିକ ୧୬.୬ ନିୟୁତ ମେଟ୍ରିକ୍ ଟନ୍ ପଥର ବାହାରିବ ଯାହା ସହରାଂଚଳ, ରାଜମାର୍ଗ ଓ ବନ୍ଦର ନିର୍ମାଣର ଭିତିଭୂମି ପାଇଁ ଆବଶ୍ୟକ ହେବ । ଏହି ପଥର ବିକ୍ରି ରାଜ୍ୟସରକାରଙ୍କ ଟିକସ ବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଗତ ଅକ୍ଟୋବର ୩, ୨୦୧୮ରେ ତାଙ୍କ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରତିନିଧିଙ୍କୁ ଏହି ପ୍ରକଳ୍ପ ସଂକଳ୍ପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଗତ ଅକ୍ଟୋବର ୯, ୨୦୧୮ରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ଡ଼କ୍ଟର ଏମ୍ଏମ୍ କୁଟ୍ଟେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଗତ ଅକ୍ଟୋବର ୩ ମୁଖ୍ୟ ଶାସନ ସଚିବଙ୍କ ସହ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରତିନିଧିଙ୍କ ବୈଠକ ସମୟରେ ରାଜ୍ୟ ସରକାରଙ୍କ ଅଫିସର ମାନଙ୍କର ଏକ ଟିମ୍ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୁର ଓ ପଦୁରଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ବୁଲି ଦେଖିବା ପାଇଁ ସହମତି ହୋଇଥିଲା । ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ପ୍ରକଳ୍ପ ଢାଂଚାରେ ସେଠାରେ ନିର୍ମିତ ହୋଇଥିବା ପ୍ରକଳ୍ପ ଦ୍ୱୟ ବୁଲି ଦେଖିବା ଦ୍ୱାରା ଚଣ୍ଡିଖୋଲ ପ୍ରକଳ୍ପ ଓ ଏଥିରୁ ବାହାରିବାକୁ ଥିବା ବର୍ଜ୍ୟ ପ୍ରସ୍ତର ସମ୍ପର୍କରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ପ୍ରକଳ୍ପ ତରଫରୁ ଓଡ଼ିଶାର ପ୍ରଶାସନିକ ଅଧିକାରୀ ପ୍ରତିନିଧିମାନଙ୍କ ଯାତ୍ରା ବ୍ୟବସ୍ଥା କରିବ । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।