ବାରଙ୍ଗ: ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ଢେଙ୍କାନାଳ ଡିଭିଜନର ବନରକ୍ଷୀ ଓ ବନପାଳଙ୍କୁ ବିନା ଅପରାଧରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର, ୨୦୦୮ରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଟ୍ରାକିଂ ଫୋର୍ସ ଗଠନ କରାଯିବା ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା, ବନ୍ୟଜନ୍ତୁ ପରିଚାଳନା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରିବା, ବନରକ୍ଷୀ ଓ ବନପାଳଙ୍କ କ୍ୟାଡର ଷ୍ଟ୍ରେଙ୍ଗ୍ଥ ବୃଦ୍ଧି, ବିଟ୍ ଓ ସେକ୍ଟରଗୁଡ଼ିକର ପରିସୀମା ଛୋଟ କରି ରାଜ୍ୟରେ ଅଧିକ ୯୦୦ ବିଟ୍ ଏବଂ ୩୦୦ ସେକ୍ଟର ସୃଷ୍ଟି କରିବା, ପ୍ରତ୍ୟେକ ଡିଭିଜନରେ ଟ୍ରାଙ୍କୁଲାଇଜିଙ୍ଗ୍ ଓ ବନ୍ଧୁକ ଚାଳନା ଜାଣିଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ ସମେତ ୬ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଏହି ଆନ୍ଦୋଳନ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦାବି ପୂରଣ ନ ହେଲେ ୧୭ ତାରିଖରୁ ସମସ୍ତ ଅଣ ଗେଜେଟେଡ୍ ଜନସେବା କର୍ମଚାରୀ ସମୂହ ଛୁଟିରେ ରହିବେ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବେ ବୋଲି ସଂଘ ସଭାପତି ଗୌରୀଶଙ୍କର ସାହୁ କହିଛନ୍ତି। ନନ୍ଦନକାନନ ବନପାଳ ରାମଚନ୍ଦ୍ର କାଣ୍ଡିଙ୍କ ନେତୃତ୍ୱରେ ବିମ୍ବାଧର ରାଉତ, ଲକ୍ଷ୍ମୀପ୍ରିୟା ଭୂୟଁା, ଜୟନ୍ତୀ ସିଂ, ସୁଶାନ୍ତ ବେହେରା, ମିଲିବାଳା ଜେନାଙ୍କ ସମେତ ୨୫ଜଣ ବନ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।