Odia News Portal

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ଶୋଚନୀୟ: ଖାଲରେ ପଡ଼ି ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳରେ ରାସ୍ତାଗୁଡିକ ମରାମତି ଅଭାବରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି। ଏ ନେଇ ଲୋକେମାନେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏସ୍‌ପ୍ଲାନେଡ୍‌ଠାରୁ ଅଳ୍ପ ଦୂରରେ ଏକ ଲୁହା ବୋଝେଇ ପିକ୍‌ଅପ୍‌ ଭ୍ୟାନ ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୧ ଘଣ୍ଟା ଧରି ବମିଖାଲରୁ ରସୁଲଗଡ଼ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ମୁତାବକ, ଏସ୍‌ପ୍ଲାନେଡ ପାର୍ଶ୍ୱରେ ରସୁଲଗଡ଼ ଶିଳ୍ପାଞ୍ଚଳକୁ ଯିବାକୁ ଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ମୁଖ୍ୟ ରାସ୍ତାରୁ ଶିଳ୍ପାଞ୍ଚଳ ରାସ୍ତାର ସଂଯୋଗସ୍ଥଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବହୁ ସମୟରେ ୨ ଚକିଆ ଏବଂ ୪ ଚକିଆ ଯାନଗୁଡ଼ିକ ସେଥିରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ରାତିରେ ଏକ ଲୁହା ବୋଝେଇ ପିକ୍‌ଅପ୍‌ ଭ୍ୟାନ ମୁଖ୍ୟ ରାସ୍ତାରୁ ରସୁଲଗଡ଼ ଶିଳ୍ପାଞ୍ଚଳକୁ ଯିବା ସମୟରେ ଗାଡ଼ିର ପଛ ଚକ ଖାଲରେ ପଡ଼ିଯିବାରୁ ଆଗପଟ ଉପରକୁ ଉଠିଯାଇଥିଲା। ଉକ୍ତ ପିକ୍‌ଅପ୍‌ ଭ୍ୟାନ ପଛରେ କୌଣସି ଗାଡ଼ିମୋଟର କିମ୍ବା ଯାତ୍ରୀ ନ ଥିବାରୁ କାହାର କିଛି କ୍ଷତି ହୋଇ ନ ଥିଲା। ଲୁହାଗୁଡ଼ିକ ଖାଲି କରାଯାଇ ଗାଡ଼ିକୁ ସାଇଡ୍‌ କରାଯିବା ପରେ ଟ୍ରାଫିକ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।