Odia News Portal

ଫର୍‌ହାନଙ୍କ ସହ ଝୁମିଲେ ସ୍ମାର୍ଟ ସିଟି ଦର୍ଶକ

ଭୁବନେଶ୍ୱର: ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। ଭୁବନେଶ୍ୱରରେ ଏହା ଫର୍‌ହାନଙ୍କ ତୃତୀୟ ଲାଇଭ୍‌ କନସର୍ଟ ହୋଇଥିବାରୁ ସ୍ମାର୍ଟ ସିଟି ଦର୍ଶକ ତାଙ୍କ ଗୀତ ଶୁଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ମଞ୍ଚକୁ ପ୍ରବେଶ କରିବା ମାତ୍ରେ ଫର୍‌ହାନଙ୍କ ନଁାରେ ପୂରା ପଡ଼ିଆ ଫାଟି ପଡ଼ୁଥିଲା। ତାଙ୍କର ସୁପରହିଟ୍‌ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ର ଗୀତ ‘ତୋ ଜିନ୍ଦା ହୋ ତୁମ୍‌’ ଗୀତ ସହ ମଞ୍ଚକୁ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ଫର୍‌ହାନ। ଏହାପରେ ସେ ତାଙ୍କ ମ୍ୟୁଜିକାଲ ଫିଲ୍ମ ‘ରକ୍‌ ଅନ୍‌’ର ‘ସିନ୍‌ବାଦ୍‌ ଦି ସେଲର’ ଗୀତ ଗାଇ ଶ୍ରୋତାଙ୍କୁ ଝୁମାଇଥିଲେ। ପରେ ପରେ ‘ମୈ ଐସା କିୟୁଁ ହୁଁ’, ‘ସୋଚା ହୈ’, ‘ମନ୍‌ଜର ନୟା’, ‘ପିଛଲେ ସାତ୍‌ ଦିନୋ ମୈ’ ଭଳି କେତେକ ପପୁଲାର ଗୀତକୁ ସେ ନନ୍‌ଷ୍ଟପ୍‌ ଗାଇ ଚାଲିଥିଲେ। କେବଳ ସେତିକି ନୁହେଁ, ଫର୍‌ହାନ ତାଙ୍କର ଜଣେ ମ୍ୟୁଜିସିଆନ୍‌ଙ୍କ ପାଖକୁ ଯାଇ ପିଆନୋ ବଜାଇଥିଲେ, ଯାହାକି ଶ୍ରୋତାଙ୍କୁ ଆହୁରି ମତୁଆଲା କରିଥିଲା। ଏହାପରେ ସେ ପୁଣିଥରେ ମଞ୍ଚ ମଧ୍ୟଭାଗକୁ ଆସି ଗୋଟିଏ ପରେ ଗୋଟିଏ ତାଙ୍କର ସୁପରହିଟ୍‌ ଗୀତ ଗାଇଥିଲେ। ସବୁଠାରୁ ଅଧିକ ‘ସେନୋରିଟା’ ଗୀତରେ ମତୁଆଲା ହୋଇଥିଲେ ଶ୍ରୋତା। ଶ୍ରୋତାଙ୍କ ଅନୁରୋଧକ୍ରମେ ଫର୍‌ହାନ ଓ ତାଙ୍କ ସାଥୀ ‘ଦିଲ୍‌ ଚାହତା ହୈ’ର ଟାଇଟଲ ଟ୍ରାକ୍‌ ପରିବେଷଣ କରିଥିଲେ। ଶେଷରେ ‘ରକ୍‌ ଅନ୍‌’ର ଟାଇଟଲ ଟ୍ରାକ୍‌ ଉପସ୍ଥାପନା କରି ମଞ୍ଚରୁ ବିଦାୟ ନେଇଥିଲେ ଏହି ସେଲିବ୍ରିଟି। ଏହି ଅବସରରେ ଆୟୋଜିତ ‘ଫର୍‌ହାନ ଲାଇଭ୍‌’କୁ ଉପଭୋଗ କରିଥିଲେ ହଜାର ହଜାର ଶ୍ରୋତା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ କଣ୍ଠଶିଳ୍ପୀ ନଭ୍ୟା ଜଇତି ସଙ୍ଗୀତ ପରିବେଷଣ କରିଥିଲେ।