ନୟାଗଡ଼: ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ରାଶି ବଣ୍ଟନ ଓ ସରକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶନିବାରଠାରୁ ନୟାଗଡ଼ ଜିଲାରେ ଆରମ୍ଭ ହେଉଛି ପିଠା ଶିବିର। ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାର ୮ ବ୍ଲକର ୧୯୪ ପଞ୍ଚାୟତରେ ଏହା ପାଳନ କରାଯିବ। ଶନିବାର ପ୍ରଥମ ଦିନରେ ୩୨ ପଞ୍ଚାୟତରେ ପାଳନ କରାଯିବ ପିଠା ଶିବିର। ସେଗୁଡ଼ିକ ହେଲା ଗଣିଆ ବ୍ଲକର ୧ଟି ପଞ୍ଚାୟତ, ଖଣ୍ଡପଡ଼ାର ୪, ନୟାଗଡ଼ର ୬, ନୂଆଗାଁର ୪, ଓଡ଼ଗଁାର ୬, ଦଶପଲ୍ଲାର ୨, ଭାପୁରର ୩ ଓ ରଣପୁର ବ୍ଲକର ୬ ପଞ୍ଚାୟତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲାପାଳ ଡା.ଏନ୍ ତିରୁମାଲା ନାୟକ। ଅବଶିଷ୍ଟ ୫ ଦିନରେ ଜିଲାର ଅନ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଶିବିର ପାଳନ କରାଯିବ। ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହା ପାଳନ କରାଯିବ। ପ୍ରଥମ କରି ଏହା ଡିସେମ୍ବର ମାସରେ ଆରମ୍ଭ ହେଉଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ବଣ୍ଟନ ଓ ସମସ୍ତଙ୍କ ଘରକୁ ବିଜୁଳି ଯୋଗାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଚୟନ ହୋଇଥିବା ଜିଲାର ୧୦୫୫ କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏ ନଭେମ୍ବର ଓ ଡ଼ିସେମ୍ବର ୨ ମାସର ୨୪୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ବିଧବା, ଭିନ୍ନକ୍ଷମ ଭଳି ଅନ୍ୟାନ୍ୟ ମଧୁବାବୁ ପେନ୍ସନ ଯୋଜନାରେ ଜିଲାର ୧୩ ହଜାର ୫ ଶହ ଜଣଙ୍କୁ ଭତ୍ତା ବଣ୍ଟନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କ ପାଇଁ ବିଜୁଳି ଯୋଜନା ହୋଇଛି କି ନାହିଁ, ସେ ଦିଗରେ ଧ୍ୟାନ ଦିଆଯିବ। ୧୫ରୁ ୨୦ ତାରିଖ ଯାଏ ପ୍ରତି ପଞ୍ଚାୟତରେ ଏକ ବାକ୍ସ ରଖାଯିବ। ଯେଉଁମାନଙ୍କର ବିଦ୍ୟୁତ୍ ସଂଯୋଗ ହୋଇନାହିଁ ସେମାନେ ସେଥିରେ ଆବେଦନ ଫର୍ମ ପକାଇବେ ବୋଲି କୁହାଯାଇଥିଲା। ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାଶ, ପିଡ଼ି ଅନାମ ଚରଣ ପାତ୍ର, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ।