Odia News Portal

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼: ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା। ଏଥିରେ ନୟାଗଡ଼ ବ୍ଲକ ଚାମ୍ପିୟନ ଓ ରଣପୁର ବ୍ଲକ ରନର୍ସ ଅପ୍‌ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମାବେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ, ଏସ୍‌ପି ଶଶିଭୂଷଣ ଶତପଥୀ, ପିଡ଼ି ଅନାମ ଚରଣ ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଅତିଥିଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ଜିଲାର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବତୀଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ର ୟୁଥ୍‌ ଆଇକନ୍‌ ଭାବେ ଜିଲାର ଏଣ୍ଟରପ୍ରେନ୍ୟୁୟର (ବ୍ୟବସାୟୀ) ରମେଶ ଚନ୍ଦ୍ର ବିଶ୍ୱାଳ, କଳାକାର ବିଶ୍ୱଭୂଷଣ ପଣ୍ଡା, ଆଇଟିଆଇ ସ୍କିଲରେ ରୌପ୍ୟ ପଦକ ପ୍ରାପ୍ତ ସଞ୍ଜୟ କୁମାର ପ୍ରଧାନ, ଦୃଷ୍ଟିହୀନ ଓଏଏସ୍‌ ସନ୍ୟାସୀ ବେହେରା, ଗାୟକ ବିଭୂ ମିଶ୍ର, ଖେଳାଳି ମୋନାଲି ସାହୁଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ସେହିଭଳି ମୁଁ ହିରୋ ମୁଁ ଓଡ଼ିଶା ଭାବେ ଜିଲାର ଆନ୍ତର୍ଜାତିକ ଭାରତ୍ତୋଳନରେ ଦଶପଲ୍ଲା ବ୍ଲକ ମକରପ୍ରସାଦ ଗ୍ରାମର ଝିଲ୍ଲି ଦଳବେହେରା, କ୍ରୀଡ଼ାବିତ୍‌ ଭାବେ ନୟାଗଡ଼ ବ୍ଲକର ଦୀପାଳି ମହାପାତ୍ର, ଯୁବ ସାମାଜିକ କର୍ମୀ ଭାବେ ନୂଆଗାଁ ବ୍ଲକ ଦୁର୍ଦ୍ଦରା ଗ୍ରାମର ସଞ୍ଜୟ କୁମାର ସାହୁ, ୨୦୧୮ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ଓ ଭାରତରେ ଚତୁର୍ଥ ସ୍ଥାନ ହାସଲ କରିଥିବା ତଥା ଜାତୀୟସ୍ତରରେ ଖୋ ଖୋରେ ଚାମ୍ପିୟନ ହୋଇଥିବା ଭାପୁର ବ୍ଲକ ବାଦଭୂଇଁ ଗ୍ରାମର ଶୁଭଶ୍ରୀ ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ କାମ ପାଇଁ ଜିଲାର ୩ ବିଜୁ ଯୁବବାହିନୀ ଯଥା ଖଣ୍ଡପଡ଼ା ବ୍ଲକର ସିଂଘପଡ଼ା, ଭାପୁର ବ୍ଲକ ଫତେଗଡ଼ ଓ ଓଡ଼ଗାଁ ବ୍ଲକ ମଗରବନ୍ଧକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଏଲଇଡ଼ି ମାଧ୍ୟମରେ ଦର୍ଶକମାନେ ହକି ପୁରୁଷ ବିଶ୍ୱକପ୍‌ ଫାଇନାଲ୍‌ର ସିଧା ପ୍ରସାରଣ ଦେଖିଥିଲେ।