ଭୁବନେଶ୍ୱର: ସୋଆ ଡିମଡ୍ ଟୁ ବି ୟୁନିଭରସିଟିରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଗୁରୁବାର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଏହା ପୂର୍ବରୁ ୨୦୦୫ରେ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ପୂର୍ବ-ଭାରତର ଜ୍ଞାନର ବିକାଶ କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ସମ୍ଭନ୍ଧୀୟ ଚିନ୍ତାଧାରାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ବିଜ୍ଞାନ ଆଧାରିତ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ସ୍ତରରେ ଆୟୋଜନ କରାଯାଉଛି।” ଏହା ସହ ବିଜ୍ଞାନ କଂଗ୍ରେସର ସଫଳ ଆୟୋଜନ କରିଥିବାରୁ ସୋଆ ଡିମଡ୍ ଟୁ ବି ୟୁନିଭରସିଟିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହୋଇଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆସନ୍ତା ୫ ଦିନ ଧରି ଚାଲିବ। ଏଥିରେ ୧୦ରୁ ୧୭ ବର୍ଷ ବୟସ ମଧ୍ୟରେ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏଥିରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୫ଟି ମଧ୍ୟପ୍ରାଚ୍ୟ ଓ ୧୦ଟି ଏସିଆନ ରାଷ୍ଟ୍ରର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ବିଜ୍ଞାନ କଂଗ୍ରେସରେ ଚଳିତବର୍ଷର ବିଷୟ ବସ୍ତୁ ରହିଛି ‘ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ପ୍ରବର୍ତ୍ତନ’। ଏହି ବିଷୟରେ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିବେ। ଆଜି ଏହାକୁ ଉଦ୍ଘାଟନ କରାଯାଇଥିବା ବେଳେ ଆସନ୍ତା ୩୧ ତାରିଖରେ ଏହି ବିଜ୍ଞାନ କଂଗ୍ରେସର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ।