Odia News Portal

ଏସ୍‌ସିବିରେ ବହୁମୂଲ୍ୟ ଚିକିତ୍ସା ମାଗଣା ହେବ: ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ

କଟକ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ନିଦାନ ଓ ସହାୟ ଯୋଜନାରେ କେତେକ ଦୁରାରୋଗ୍ୟର ମାଗଣା ଚିକିତ୍ସା କରାଯାଉଛି। ଏବେ ସେଥିରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ବହୁମୂଲ୍ୟ ଚିକିତ୍ସା। ଏସ୍‌ସିବି ମେଡିକାଲରେ ଏହିସବୁ ଚିକିତ୍ସା ମାଗଣାରେ କରାଯିବ। ଏଥିନିମନ୍ତେ ବୁଧବାର ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସି ନିଷ୍ପତ୍ତି ନିଆଯାଇଛି। ମାଗଣା ହେବାକୁ ଥିବା ଚିକିତ୍ସାଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ହେଉଥିବା ଡବଲ୍‌ ପ୍ରୋସିଜିଓର ଏଣ୍ଟେରେସ୍କୋପି, କାର୍ଡିଓଲୋଜି ବିଭାଗରେ ହେଉଥିବା ପିଟିସିଏ ଓ୍ବିଥ୍‌ ଷ୍ଟେଣ୍ଟିଂ, ଟ୍ରାନ୍ସଫ୍ୟୁଜନ ମେଡିସିନର ଏସ୍‌ଡିପି ଓ ହୃଦ୍‌ବକ୍ଷଶଲ୍ୟ ବିଭାଗର ଓପନ୍‌ ହାର୍ଟ ସର୍ଜରୀ ରହିଛି।

ଡବଲ୍‌ ପ୍ରୋସିଜିଓର ଏଣ୍ଟେରେସ୍କୋପି ପରୀକ୍ଷା ପାଇଁ ରୋଗୀଙ୍କୁ ୟୁଜର୍ସ ଫି ବାବଦରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏହି ଚିକିତ୍ସା ପଦ୍ଧତି ମାଧ୍ୟମରେ ରୋଗୀଙ୍କ ଅନ୍ତନଳୀରେ ଥିବା ସମସ୍ୟା ଡାକ୍ତର ଠାବ କରିଥାନ୍ତି। ୨୦୧୮ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଏସ୍‌ସିବି ମେଡିକାଲରେ  ୬୦ ଜଣ ରୋଗୀ ଡବଲ୍‌ ପ୍ରୋସିଜିଓର ଏଣ୍ଟେରେସ୍କୋପି ଚିକିତ୍ସା କରାଇଛନ୍ତି। ସେହିପରି କାର୍ଡିଓଲୋଜି ବିଭାଗରେ ହେଉଥିବା ପିଟିସିଏ ଓ୍ବିଥ୍‌ ଷ୍ଟେଣ୍ଟିଂ ଚିକିତ୍ସା ପାଇଁ ରୋଗୀଙ୍କୁ ୩୦ହଜାର ଟଙ୍କା ୟୁଜର୍ସ ଫି ଆକାରରେ ଦେବାକୁ ପଡ଼ୁଛି। ରୋଗୀଙ୍କ ହାର୍ଟ ଭିତରେ ଥିବା ଧମନୀରେ ସମସ୍ୟା ଉପୁଜିଲେ ଏହି ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଗତବର୍ଷ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଏସ୍‌ସିବିରେ ୮୧୪ ଜଣ ରୋଗୀ ଏହି ଚିକିତ୍ସା ପାଇଛନ୍ତି। ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ଏସ୍‌ଡିପି ଚିକିତ୍ସାକୁ ମଧ୍ୟ ମାଗଣା କରାଯିବ। ରକ୍ତଦାତାଙ୍କ ରକ୍ତରୁ କେବଳ ପ୍ଲେଟ୍‌ଲେଟ୍‌ କାଢିବା ପାଇଁ ଏହି ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଇଥାଏ। ବିଶେଷକରି କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସାର ବହୁଳ ବ୍ୟବହାର କରାଯାଇଥାଏ। ଏହି ଚିକିତ୍ସା ପଦ୍ଧତି ପାଇଁ ରୋଗୀଙ୍କୁ ୧୦ ହଜାର ଟଙ୍କା ୟୁଜର୍ସ ଫି ଆକାରରେ ଦେବାକୁ ପଡ଼ିଥାଏ। ଗତବର୍ଷ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୨୫ ଜଣ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା କରାଯାଇଛି। ସେହିପରି ଗୁରୁତ୍ୱପୂର୍ଣ୍ଣ ଓପନ ହାର୍ଟ ସର୍ଜରୀକୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣା କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି। ଓପନ୍‌ ହାର୍ଟ ସର୍ଜରୀ ପାଇଁ ୟୁଜର୍ସ ଫି ଆକାରରେ ରୋଗୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଗତବର୍ଷ ଏସ୍‌ସିବିରେ ୧୫୦ ଜଣ ରୋଗୀଙ୍କ ଓପନ୍‌ ହାର୍ଟ ସର୍ଜରୀ କରାଯାଇଛି। ତେଣୁ ଉପରୋକ୍ତ ବହୁମୂଲ୍ୟ ଚିକିତ୍ସାଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।