Odia News Portal

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ ହୋଇଛନ୍ତି, ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବାବେଳେ ଏବେ ବି ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର କିଛି ଲୋକ ପିକନିକ ସାରି ହୁକିଟୋଲା ବତୀଘରରୁ ଫେରୁଥିବାବେଳେ କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।