ନୟାଗଡ଼: ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସମୀକ୍ଷା ବୈଠକ ବୁଧବାର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମିଳନୀ କକ୍ଷ ସୃଜନଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସାହୁ ବୈଠକରେ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଓଡ଼ିଶାର ଉନ୍ନତିରେ ବାହକ ସାଜିଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିଜର ଦାୟିତ୍ୱକୁ ଅଣଦେଖା ନ କରି ପାଳନ କରିବାକୁ ବିଧାୟକ ସାହୁ ପରାମର୍ଶ ଦେଇଥିଲେ। ସେହିଭଳି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଲୋକମାନଙ୍କ ସହିତ ସୁସମ୍ପର୍କ ରଖିଲେ ବିଭିନ୍ନ ଯୋଜନା ସୁଫଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ପ୍ରଥମେ ରାସ୍ତା ଓ ଗୃହ ବିଭାଗ ସମୀକ୍ଷା କରି ନୂଆ ବସ୍ଷ୍ଟାଣ୍ଡ ଟେଣ୍ଡର କାର୍ଯ୍ୟ ଫେବୃୟାରୀରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଉପରେ ଆଲୋଚନା କରାଯାଇଥିଲା। ନୟାଗଡ଼ ବ୍ଲକରେ ୨୯ ଓ ଓଡ଼ଗାଁ ବ୍ଲକର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ୧୭ ଓଭରହେଡ଼ ଟାଙ୍କି କରାଯାଇଥିବା ସୂଚନା ଦିଆଯାଇଥିଲା। ଏଗୁଡ଼ିକ ମଧ୍ୟରୁ ଯେଉଁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇନାହିଁ, ତୁରନ୍ତ ସେଗୁଡ଼ିକ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଡ଼ଚେର ରାସ୍ତା, ଓଡ଼ଗାଁର ବଙ୍ଗଳା କାର୍ଯ୍ୟ, ଜଳସେଚନ ବିଭାଗର କୁସୁମି ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ବିଧାୟକ ସାହୁ କହିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଓ ଡ୍ରେନେଜ୍ ବିଭାଗର ଅଧିକାରୀମାନେ ବିନା ପ୍ରସ୍ତୁତିରେ ଆସିଥିବାରୁ କୌଣସି ତଥ୍ୟ ଉପସ୍ଥାପନ କରିପାରି ନ ଥିଲେ। ଏହାପରେ ସେସୁ (ବିଦ୍ୟୁତ୍ ବିଭାଗ)ର ସମୀକ୍ଷା କରାଯାଇ ମାଛିପଡ଼ା, ନୂଆ ବସ୍ଷ୍ଟାଣ୍ଡ ଓ ବଲାଙ୍ଗୀ ବନ୍ଧଠାରେ ଏକ ସବ୍ଷ୍ଟେଶନ କରିବାକୁ ବିଧାୟକ ସାହୁ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ସହରରେ ଥିବା ସମସ୍ତ ଅସୁରକ୍ଷିତ ସବ୍ଷ୍ଟେଶନରେ କିପରି ତାରଜାଲ ବାଡ଼ ଦିଆଯାଇ ସୁରକ୍ଷିତ ରଖାଯିବ ସେ ଦିଗରେ ବିଦ୍ୟୁତ୍ ବିଭାଗ ୧ ମାସ ଭିତରେ କାର୍ଯ୍ୟ ସମୂର୍ଣ୍ଣ କରିବାକୁ କୁହାଯାଇଥିଲା। ଏନ୍ଏଚ୍ (ଜାତୀୟ ରାଜପଥ) ବିଭାଗର ଏସ୍ଡ଼ିଓଙ୍କୁ ନୟାଗଡ଼ ବାଇପାସ୍ କାର୍ଯ୍ୟକ୍ରମର ତ୍ୱରାନ୍ବିତ କରିବାକୁ କୁହାଯାଇଥିଲା। ନିର୍ବାଚନମଣ୍ଡଳୀରେ ବଳକା ରହିଥିବା କାର୍ଯ୍ୟଗୁଡ଼ିକୁ ଫେବୃୟାରୀ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କାର ଅଭାବ ନ ଥିବାରୁ ଯେତେ ଟଙ୍କା ଯେଉଁ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ଉକ୍ତ ଅର୍ଥ ଫେରି ନ ଯାଇ ପ୍ରକଳ୍ପ କିପରି ସମୂର୍ଣ୍ଣ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ। ବିଗତ ୧୫ ବର୍ଷ ମଧ୍ୟରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସୂଚନା ସମସ୍ତ ବିଭାଗ ସାତଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନୟାଗଡ଼ ବ୍ଲକର ସମସ୍ତ ୨୯ ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୬ ପଞ୍ଚାୟତ, ନୟାଗଡ଼ ଏନ୍ଏସି ଓ ଓଡ଼ଗାଁ ଏନ୍ଏସିକୁ ନେଇ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ଜିଲାପାଳ ଡା. ଏନ୍. ତିରୁମାଲା ନାୟକ କାର୍ଯ୍ୟକୁ ଆଗ୍ରହର ସହିତ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏସ୍ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାଶ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ପିଡ଼ି ଅନାମ ଚରଣ ପାତ୍ର, ଏପିଡ଼ି ସନ୍ତୋଷୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅବକାରୀ, ନିୟୋଜନ, ଟେକ୍ସଟାଇଲ ଓ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ବ୍ୟତୀତ ସମୀକ୍ଷା ବୈଠକରେ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ