ପୁରୀ: ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ମିଳିବ ଋଣ । ଆଜି ପୁରୀରେ ମିଶନ ଶକ୍ତି କାର୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳ ବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ଆୟୋଜିତ ମହାସମାବେଶରେ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ୍ ମନି ସହାୟତା ପ୍ରଦାନ କରାଯାଇଛି ।
ସେହିପରି ପ୍ରତି ବ୍ଲକସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି, ଡିଜିଟାଲ୍ ସଶକ୍ତିକରଣ ନିମନ୍ତେ ପ୍ରତି ଏସ୍ଏଚ୍ଜିଙ୍କୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହାବ୍ୟତୀତ ଅଙ୍ଗନଓ୍ଵାଡିଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ତେବେ ଆଜି ମହାସମାବେଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ କଥା ଶୁଣିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କିଛି ବି କହି ନାହାନ୍ତି ନବୀନ । ମିଶନ ଶକ୍ତି ସମାବେଶରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୬୦ ହଜାରରୁ ଅଧିକ ସଭାପତି ଓ ସଂପାଦକମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମୁତୟନ ହୋଇଥିଲେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ।