Odia News Portal

ପ୍ରଥମ ଯୋଡ଼ା ମହୋତ୍ସବ ଉଦଘାଟିତ

ପ୍ରଥମ ଥର ପାଇଁ ଯୋଡ଼ାରେ ଆରମ୍ଭ ହୋଇଛି ‘ଯୋଡ଼ା ମହୋତ୍ସବ’ । ଶନିବାର ସଂଧ୍ୟାରେ ରଂଗାରଂଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି ‘ଯୋଡ଼ା ମହୋତ୍ସବ’ । କେନ୍ଦ୍ରିୟ ଖେଳ ପଡ଼ିଆ ଠାରେ ଆୟୋଜିତ ଉଦଘାଟନୀ ସଂଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ଲୋକସଭା ସାଂସଦ ଶକୁନ୍ତଳା ଲାଗୁରୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ଯୋଡ଼ା ଖଣି ଉପ-ନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଖଣି ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ ।

ମହୋତ୍ସବ ଉଦଘାଟନ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କଲ୍ୟାଣ ମଣ୍ଡପରୁ ବାହାରି ସହର ପରିକ୍ରମା କରି କେନ୍ଦ୍ରିୟ ଖେଳ ପଡ଼ିଆ ଯାଏଁ ଯାଇଥିଲା । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ମହିଳା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ‘ଯୋଡ଼ା ମହୋତ୍ସବ’କୁ ଅଧିକ ଲୋକପ୍ରିୟ କରିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ଥାନୀତ କରାଯାଇଛି । ଡଗ୍ ଶୋ, ବେବି ଶୋ, ଫ୍ଲାୱାର ଶୋ, ବଡି ବିଲ୍ଡିଂ ଶୋ, ତାଇକୋଣ୍ଡୋ, ମ୍ୟୁଜିକ ଚେୟାର, ରୋପ୍ ପୁଲିଂ, ମ୍ୟୁଜିକ୍ ଚେୟାର କମ୍ପିଟିସନ୍, ଫ୍ୟାନ୍ସୀ ଡ୍ରେସ୍, ୭ ରୁ ୧୬ ବର୍ଷ ଝିଅ ମାନଙ୍କ ମଧ୍ୟରେ ବ୍ୟୁଟି କଣ୍ଟେଷ୍ଟ , ଆଦିବାସୀ ନୃତ୍ୟ, ଝୁମର ନୃତ୍ୟ, ଓଡ଼ିଶୀ ନୃତ୍ୟ, ବଜନୀୟା ନୃତ୍ୟ (ସମ୍ବଲପୁର), ଗୋଟିପୁଅ ନୃତ୍ୟ, ବାଲୁକା କଳା ଓ ଆର୍ଟ ଗ୍ୟାଲେରୀର ମଜା ନେଇ ପାରିବେ ଦର୍ଶକ ।

ସେହିପରି ବିଭିନ୍ନ ଫୁଡ୍ ଷ୍ଟଲ ଦେଖଣାହାରୀଙ୍କୁ ଆକର୍ଷିତ କରିଛି । ଏଥି ସହିତ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଷ୍ଟଲ ମାଧ୍ୟମରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଉଦଯାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ହେବେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଉଦଘାଟନୀ ସଂଧ୍ୟାରେ ଶୀତ ଅଧିକ ଥିବା ସତ୍ୱେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରଥମ ଥର ପାଇଁ ଯୋଡ଼ା ଠାରେ ସ୍ଥାନୀୟ ଲୋକେ ‘ଯୋଡ଼ା ମହୋତ୍ସବ’ର ସ୍ୱାଦ ଚାଖିଛନ୍ତି । ୩ ଦିନ ଧରି ଚାଲିବାକୁୁ ଥିବା ‘ଯୋଡ଼ା ମହୋତ୍ସବ’କୁ ସମସ୍ତେ ଆନନ୍ଦ ଓ ଉଦ୍ଦିପନାର ସହିତ ଉପଭୋଗ କରୁଛନ୍ତି । ଯୋଡ଼ା ମହୋତ୍ସବର ସଫଳ ରୂପାୟନ ପଛରେ ରହିଛି ସ୍ଥାନୀୟ ପ୍ରଶାସନ ଏବଂ ଶିଳ୍ପ ଓ ଖଣି ଉଦ୍ୟୋଗ ଗୁଡ଼ିକର ସହଯୋଗ ।