ଭୁବନେଶ୍ବର: ଓଡ଼ିଶାରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ. କେ ସିଂ ଓ ତାଙ୍କ ଟିମ୍ । ଆଜି ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ମିଳିଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ପାହ୍ୟା ଦାବି ପୁଣି ଥରେ ଅର୍ଥ କମିଶନଙ୍କ ଆଗରେ ରଖିବେ ରାଜ୍ୟ ସରକାର। ଏବେ କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟକୁ ୪୨ ପ୍ରତିଶତ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରିବେ। ଏହାସହ କେନ୍ଦ୍ର ସରକାର ବିପର୍ୟ୍ୟୟ ପାଣ୍ଠି ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ରାଜ୍ୟ ସରକାର କମିଶନଙ୍କ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରିବେ ବୋଲି ଜଣାପଡିଛି। ସେହିପରି ୨୦୧୧ ଜନଗଣନା ଅନୁସାରେ ଏବେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି ।
କିନ୍ତୁ ରାଜ୍ୟ ସରକାର ୧୯୭୧ ଜନଗଣନା ଅନୁସାରେ ଏହି ଅର୍ଥ ବରାଦ କରିବା ପାଇଁ ଦାବି ରଖିବେ ବୋଲି ଜଣାପଡିଛି। ଗତକାଲି ସରକାରୀ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସହ ଆଲୋଚନା କରିଥିଲେ ପଞ୍ଚଦଶ ଅର୍ଥ କମିଶନ। ସବୁ ରାଜ୍ୟରୁ ମତାମତ ସଂଗ୍ରହ ପରେ କେନ୍ଦ୍ର ସରକାରଙ୍କୁ ଆସନ୍ତା ଅକ୍ଟୋବର ସୁଦ୍ଧା ପଂଚଦଶ ଅର୍ଥ କମିଶନ ସୁପାରିସ ପ୍ରଦାନ କରିବେ । ଏହି ସୁପାରିସକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୨୦୨୦ରୁ ୨୦୨୫ ମଧ୍ୟରେ ଟିକସ ଭାଗବଣ୍ଟା ହେବ।
