Odia News Portal

ଶିଳ୍ପପତିଙ୍କୁ କୋଇଲା ଓ ଲୁହାପଥର ଚିନ୍ତା

ଭୁବନେଶ୍ବର () : ଶିଳ୍ପପତିମାନଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ କୋଇଲା ଓ ଲୁହାପଥର ଦର ଚିନ୍ତାର କାରଣ ହୋଇଛି । ଶିଳ୍ପ ପାଇଁ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ସେମାନଙ୍କ ପ୍ରତିଯୋଗିତାମୂଳକ ପ୍ରଦର୍ଶନକୁ ପ୍ରଭାବିତ କରୁଛି । କୋଇଲା ଓ ଲୁହାପଥର ଦେଶରେ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିଲେ ବି ଶିଳ୍ପପତୀଙ୍କ ପାଇଁ ଏହା ସବୁଠାରୁ ବ୍ୟୟବହୁଳ ସାମଗ୍ରୀ ହୋଇଛି ।

ବିଶ୍ବରେ ଭାରତ ପଂଚମ ବୃହତ ଅଣ-ରୋଷେଇ ଉପଯୋଗୀ କୋଇଲା ଉତ୍ପାଦନକାରୀ ଦେଶ । ସେହିଭଳି ଓଡିଶା ଏବଂ ଅନ୍ୟାନ ରାଜ୍ୟରେ ମଧ୍ୟ ଲୁହାପଥର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ । କିନ୍ତୁ ଶିଳ୍ପାନୁଷ୍ଠାନଗୁଡିକୁ ଅଣ-ରୋଷେଇ ଉପଯୋଗୀ କୋଇଲା ଏବଂ ଲୁହାପଥର ମିଳୁନି । ଅନେକ ଶିଳ୍ପାନୁଷ୍ଠାନର ନିଜସ୍ବ କୋଇଲା ଖଣି ନାହିଁ । ବିଦେଶରୁ କୋଇଲା ଆମଦାମୀ ବ୍ୟୟବହୁଳ ହେଉଛି । ସେହିପରି ବର୍ତ୍ତମାନ ବଜାରରେ ଲୁହାପଥର ଗତବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣା ମୂଲ୍ୟରେ କିଣିବାକୁ ପଡୁଛି । ଭୁବନେଶ୍ବର ଗସ୍ତରେ ଆସିଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଏଭଳିସ୍ଥିତିରେ ସରକାର ସବୁ ବନ୍ଦ ହୋଇପଡିଥିବା ଲୁହାପଥର ଖଣିକୁ କାର୍ଯ୍ୟକାରୀ କରିବା ଦିଗରେ ଉଦ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି । ସେହିଭଳି ଓଡିଶାରେ ଜିନ୍ଦଲକୁ ମାଲ ପରିବହନ ପାଇଁ ପର୍ଯ୍ୟାପ୍ତ ପରିମାଣର ରେଳବାଇ ର୍ୟାକ ମିଳୁନଥିବା ସେ କହିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଦିଗରେ ଉଦ୍ୟମ କରୁଥିବା ମଧ୍ୟ ସେ କହିଛନ୍ତି ।

ଓଡିଶାରେ ଜିନ୍ଦଲ ପ୍ରାୟ ହଜାରେ କୋଟି ଟଙ୍କା ପୁଂଜିନିବେଶ କରି ବଡବିଲଠାରେ ଦୁଇଟି ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିଛି । ଅନୁଗୁଳଠାରେ ବାର୍ଷିକ 6 ନିୟୁତ ଟନ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହୋଇଛି । ଗତବର୍ଷ ଏହି ପ୍ଲାଣ୍ଟରୁ 1 ନିୟୁତ ଟନ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ଏବର୍ଷ 3 ନିୟୁତ ଟନ ଉତ୍ପାଦନର ଲକ୍ଷ ରଖାଯାଇଛି । 2030 ସୁଦ୍ଧା ଅନୁଗୁଳ ପ୍ଲାଣ୍ଟର କ୍ଷମତା 20 ନିୟୁତ ଟନକୁ ବୃଦ୍ଧି କରାଯିବ । ନଗପୁର ପ୍ଲାଣ୍ଟର ମଧ୍ୟ କ୍ଷମତାକୁ 20 ନିୟୁତ ଟନକୁ ବୃଦ୍ଧି କରାଯିବ । ଏଥିପାଇଁ ଆସନ୍ତା 12 ବର୍ଷରେ 50ହଜାର କୋଟି ଟଙ୍କାର ପୁଂଜିନିବେଶ କରାଯିବ ।