Odia News Portal

ଆସିକା ଥାନା ଅଧିକାରୀଙ୍କ ବିରୋଧରେ ଅପରାଧୀଙ୍କ ଗୋପନ ବ୍ଲୁ-ପ୍ରିଣ୍ଟ ! ଟ୍ରକ୍ ଚାପି, ଟିଫିନ୍‌ ବୋମା ବିସ୍ଫୋରଣ କରି ହତ୍ୟା ଯୋଜନା

ଆସିକା : ଅପରେସନ୍ ‘କ୍ରିମିନାଲ୍ କ୍ଲିନ୍’ ମାଧ୍ୟମରେ ଅପରାଧୀ ଦମନ ଅଭିଯାନ ଓ ୫୦ ପାଖାପାଖି ଏନ୍‌କାଉଣ୍ଟର୍ କରି ସାରିଥିବା ଗଞ୍ଜାମ ପୁଲିସର କିଛି ବଛା ବଛା ଅଫିସର୍ ଏବେ ଅପରାଧୀଙ୍କ ଟାର୍ଗେଟ୍‌ରେ। କିଛି ବର୍ଷ ତଳେ ଅପରାଧୀଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଥିବା ଶେରଗଡ଼ ଥାନା ଓଆଇସିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିଲା। ଏବେ ଅପରାଧୀଙ୍କ ଟାର୍ଗେଟରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ। ଗତ କିଛି ବର୍ଷ ଭିତରେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଆସିକା ଥାନା ଇଲାକାରେ ଅପରାଧ ନିୟନ୍ତ୍ରଣଠୁ ଆରମ୍ଭ କରି ବେଆଇନ୍‌ ମଦ କାରବାର ଉପରେ ଅଙ୍କୁଶ ଲଗାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା। ତାଙ୍କୁ ଟ୍ରକ୍‌ ଚପାଇ ଓ ଟିଫିନ୍‌ ବୋମା ବିସ୍ଫୋରଣ କରି ହତ୍ୟା କରିବାକୁ ଯୋଜନା ଆରମ୍ଭ ହୋଇଛି। ହାଇ ପ୍ରୋଫାଇଲ୍‌ ଅପରାଧୀ ଗୋଷ୍ଠୀ ଏଥିଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୁଲିସ ଗୁଇନ୍ଦା ସୂଚନା ମିଳିବା ପରେ ଖେଳାତାଡ଼ ଆରମ୍ଭ ହୋଇଛି। ଗତ ଏକ ବର୍ଷ ମଧୢରେ ଅଣ୍ତରଗ୍ରାଉଣ୍ତ ଥିବା କିଛି ଦୁର୍ଦ୍ଦାନ୍ତ ଅପରାଧୀ ଆସିକାରେ ଏକାଠି ହୋଇ ଏଭଳି ଗୁପ୍ତ ଯୋଜନାକୁ ରୂପ ଦେବାକୁ ଲାଗି ପଡ଼ିଛନ୍ତି। ଖାଲି ଏତିକି ନୁହେଁ, ଗ˚ଜାମ ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ଜେଲ୍‌ ଭାବେ ପରିଚିତ ଆସିକା ଜେଲ୍‌ରୁ ବି କିଛି ଅପରାଧୀ ଏଥିପାଇଁ ନିଜ ନେଟଵର୍କ ସକ୍ରିୟ କରି ଦେଇଛନ୍ତି। ଫଳରେ ଏହାକୁ ନେଇ ଚର୍ଚ୍ଚା ବର୍ତମାନ ଜୋର‌୍‌ ଧରିଛି।