ଦେଖନ୍ତୁ ଏହି ଦୃଶ୍ୟକୁ । ଖୋଦ୍ ରାଜଧାନୀର ଛାତି ଉପରେ କେମିତି ଆତଙ୍କରାଜ୍ ଚଳାଇଛନ୍ତି କିଛି ଯୁବକ । ରାତି ଗୋଟାଏ ବେଳେ ନୟାପଲ୍ଲୀ ଅଂଚଳରେ ଇଏ ହେଉଛି ଲୁଟେରାଙ୍କ ଦୌରାତ୍ମ୍ୟର ଦୃଶ୍ୟ । ହାତରେ ଭୁଜାଲି ଆଉ ପିସ୍ତଲ ଧରି ରାଜଧାନୀର ରାଜରାସ୍ତା ଉପରେ କେମିତି ବେଫିକର ହୋଇ ଚଳାଇଛନ୍ତି ଲୁଟ୍ତରାଜ୍ । ଏକ କାର୍ ଉପରେ କରୁଛନ୍ତି ଆକ୍ରମଣ । ତେବେ କାର୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟେରାଙ୍କ କବଳରୁ ବର୍ତ୍ତି ଯାଇଛନ୍ତି କାରରେ ଥିବା ଯାତ୍ରୀ । ହେଲେ ଏହି ଘଟଣାର ୩ଘଣ୍ଟା ପରେ ଅର୍ଥାତ୍ ଠିକ୍ ରାତି ୪ଟାରେ ଠିକ୍ ସେଇ ଯାଗାରେ ଲୁଟେରାଙ୍କ ଶିକାର ହୋଇଛନ୍ତି କେନ୍ଦୁଝରରୁ ଆସିଥିବା ଏହି ଦମ୍ପତି । ଏକ ହୋଟେଲକୁ ଯିବାକୁ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେମାନଙ୍କୁ ଘେରିଯାଇଥିଲେ ଲୁଟେରାମାନେ । ଘଟଣା ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।
କେବଳ ନୟାପଲ୍ଲୀ ନୁହେଁ, ଗଲା ୨ ତାରିଖ ରାତିରେ ସହିଦନଗର ଓ ଚନ୍ଦ୍ରଶେଖରପୁର ରାସ୍ତାରେ ଆତଙ୍କ ଖେଳାଇଥିଲେ କିଛି ବାଇକ ଲୁଟେରା । ରାତି ୧୨ଟା ବେଳେ ରେଲକୁଞ୍ଜ ରାସ୍ତାରେ ଜଣେ ବାଇକ ଚାଳକଙ୍କୁ ହାଣି ତାଙ୍କର ବାଇକ ଲୁଟିନେଇଥିଲେ । ଏମିତିକି ସେଇ ବାଟ ଦେଇ ଯାଉଥିବା କିଛି କାର ଚାଳକ ସେଠାରେ ଅଟକିବାରୁ ସେମାନଙ୍କୁ ମଧ୍ୟ ମାଉଜର ଓ ଖଣ୍ଡା ଦେଖାଇ ଏରିଆ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ଲୁଟେରାମାନେ । ଘଟଣାରେ କେବଳ ଏତଲା ଦାୟର କରି ବସିପଡ଼ିଛି ଚନ୍ଦ୍ରଶେଖରପୁର ପୋଲିସ ।