ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କର ଏକ ଦୋକାନରୁ ବନ୍ଧୁକ, ଛୁରୀ ସମେତ ବହୁତ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଣ୍ୟାଣ କ୍ରାଇମ୍ ବ୍ରାଞ୍ଚ ଦୋମ୍ବିଭାଲିଠାରେ ଥିବା ଧନଞ୍ଜୟଙ୍କ ଦୋକାନରେ ଚଢ଼ଉ କରିବା ପରେ ଏହି ସବୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଧନଞ୍ଜୟଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତରେ ପଠାଯାଇଛି। ତାଙ୍କ ଦୋକାନରୁ ପ୍ରାୟ ୧୮୦ ପ୍ରକାରର ହତିଆର ଜବତ ହୋଇଛି। ୪୯ ବର୍ଷିଅ ଏହି ବିଜେପି ନେତା କଲ୍ୟାଣର ବିଜେପି ଉପାଧ୍ୟକ୍ଷ। ଅଭିଯୋଗ ଆସିଛି କି ଉପହାର ସାମଗ୍ରୀ ନାମରେ ଏହି ସବୁ ଭୟାନକ ହତିଆର ତାଙ୍କ ଦୋକାନରେ କିଣାବିକା ଚାଲିଥିଲା। କ୍ରାଇମ୍ ବ୍ରାଞ୍ଚର ଅଧିକାରୀଙ୍କ ମୁତାବିକ, ଏହି ହତିଆର ଗୁଡ଼ିକ ଭିତରେ ବନ୍ଧୁକ, ଛୁରୀ ବ୍ୟତୀତ ଏୟାର୍ଗନ, ଫାଇଟର ଛୁରୀ ଆଦି ବି ରହିଛି। ନାମାପଡ଼ା ରୋଡ୍ରେ ‘ତପସ୍ୟା ହାଉସ୍ ଅଫ୍ ଫେସନ୍’ ନାମକ ତାଙ୍କର ଏକ ଦୋକାନ ଅଛି। ଏହି ଦୋକାନରେ ବହୁ ଦିନ ହେବା ଏପରି ଚୋରା କାର୍ଯ୍ୟ ଚାଲି ଆସୁଥିଲା।
