Odia News Portal

କମ୍ପିବ ଖଣ୍ଡଗିରି କୁମ୍ଭ ମେଳା : ଆଜିଠୁ ଦୁଲିକିବ ମଞ୍ଚ

ଭୁବନେଶ୍ବର : ଆଜିଠୁ କମ୍ପିବ ଖଣ୍ଡଗିରି । ଦୁଲିକିବ ମଞ୍ଚ । ଛାତି ଥରାଇବ ସଂଳାପ । ରାତି ତମାମ ଚାଲିବ ନାଟକ । ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଫୁଲ୍‌ ଜମିବ । ପ୍ରଥମ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଉଛନ୍ତି କଳିଙ୍ଗ ଓ କୋଣାର୍କ ଗଣନାଟ୍ୟ । ସନାତନ ସେବା ସମିତି, ଘାଟିକିଆ ମଞ୍ଚରେ କୋଣାର୍କ ଗଣନାଟ୍ୟ ୫ରୁ ୭ତାରିଖ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବ ।

ପ୍ରଥମେ ‘ଆଖି ଅବୁଝାକୁ ଲୁହ ଅବୁଝା’ ପରିବେଷିତ ହେବ । ଏହାର ରଚନା ଡ. ଦୀପକ ଜେନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ପ୍ରସାଦ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ । ନୃତ୍ୟ ସଂଯୋଜନା କରିଛନ୍ତି ନବ ମିଶ୍ର । ନାଟକରେ ପ୍ରମୁଖ ଚରିତ୍ରରେ ରହିଛନ୍ତି ଦୈତାରୀ ପଣ୍ଡା, ବସନ୍ତ ସାହୁ, ଅକ୍ଷୟ ସାହୁ, ରତି, ରୁଦ୍ର, ଜିତୁ, ମିଟୁନା, ନଳିନୀ, ପୂଜା, ମୁନୁ, ଶ୍ରୀଧର, ପଦ ରାଉତ, ମୁନା, କେଳୁ, ଝରଣା, ରୁନୁ ପ୍ରମୁଖ । ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଦ୍ୱାରା ନାଟକଟି ଆଦୃତ ଲାଭ କରିବା ସହ ଲୋକପ୍ରିୟତା ସାଉଁଟିଛି । ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ କଳିଙ୍ଗ ଗଣନାଟ୍ୟ ଓପନିଂ କରିବ ।

ପ୍ରଥମ ରଜନୀରେ ପାର୍ଟି ନାଟ୍ୟକାର ଲିଲି ଦାସଙ୍କ ରଚନା ଓ ଇଂ. ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ଶ୍ରାବଣ ମାସର ଶେଷ ରାତି’ ପରିବେଷିତ କରିବ । ଏଥିରେ ପ୍ରମୁଖ ଭୂମିକାରେ ସୁରେଶ ପଣ୍ଡା, ମାନସ ପଣ୍ଡା, ରଞ୍ଜିତ, ଅଭିନ୍ନ, ଜଗା, ମାମା, ବିଜୁ କେଦାର ଓ ସରୋଜିନୀ ପ୍ରମୁଖ ଅଭିନୟ କରିଛନ୍ତି । ସମସ୍ତେ ଏହି ଦୁଇଟି ନାଟକ ଦେଖିବାକୁ ଅନାଇ ବସିଥିବାବେଳେ ଖଣ୍ଡଗିରି ଯାତ୍ରା ମହାକୁମ୍ଭର ପ୍ରଥମ ରଜନୀ ପାଇଁ କମିଟି ସଦସ୍ୟ ଓ କଳାକାର ବେଶ୍‌ ଉତ୍ସାହିତ ଅଛନ୍ତି ।

ଲୋକଙ୍କ ପସନ୍ଦ ମୁତାବକ ପାରିବାରିକ କାହାଣୀକୁ ନେଇ ଏଥର ଯାତ୍ରା ମଞ୍ଚସ୍ଥ କରାଯିବ । ତେବେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବା ବେଳେ ଷ୍ଟଣ୍ଟ ମଧ୍ୟ କରାଯିବନି ବୋଲି ଯାତ୍ରା ମିଲକମାନେ କହିଛନ୍ତି । ଏହାଛଡା ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଯାତ୍ରା ମାଲିକମାନେ । ସିସିଟିଭି ନଜରରେ ରହିବ ପୂରା ଯାତ୍ରା ପେଣ୍ଡାଲ । ଯାତ୍ରା ପେଣ୍ଡାଲ ଭିତରେ ଏବଂ ବାହାରେ ଜଗିବେ ଭଲ୍ୟୁଣ୍ଟିୟର । ଏଥର ଯାତ୍ରା ଟିକେଟ୍ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।