Odia News Portal

ସରିଲା ଯାତ୍ରା ଲଢ଼େଇ, ପୁଣି ଅପେକ୍ଷା ଆର ବର୍ଷକୁ

ଭୁବନେଶ୍ୱର : ରବିବାର ଶେଷ ହୋଇଛି ଖଣ୍ଡଗିରି ଯାତ୍ରା ଲଢ଼େଇ । ଆସନ୍ତାକାଲିଠୁ ମଞ୍ଚ ଅନ୍ଧାର । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ଶେଷ ରାତିରେ ସବୁ ପାର୍ଟିରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଗତ ୫ ତାରିଖରୁ ଦୀର୍ଘ ୧୨ ରାତି ଧରି ୧୨ ନାମକରା ଅପେରା ପାର୍ଟିଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଲଢ଼େଇ । ଶେଷ ରାତିରେ ସବୁ ପାର୍ଟିରେ ହାଉସ୍‌ଫୁଲ୍‌ ବେପାର ହୋଇଛି । ସବୁ ପାର୍ଟି ଟକ୍କର୍‌ର ସହ ନାଟକ ରିପିଟ୍‌ କରିଛନ୍ତି । ମହତାବ ମଣ୍ଡପ, ଆଇଗିଣିଆ ମଞ୍ଚରେ ଯାତ୍ରା ସ୍ୱର୍ଣ୍ଣମହଲ ଶେଷ ରାତିରେ ଶତରୂପା ମିଶ୍ରଙ୍କ ରଚିତ ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶିତ ନାଟକ ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’ ନାଟକ ରିପିଟ୍‌ କରିଛି ।

ନାଟକରେ ଅଜୟ ମିଶ୍ରଙ୍କଠାରୁ ଆରମ୍ଭ କରି ହାପି କର, ଜିନୁ, ମିଲୁ, ଜ୍ଞାନ, ଜଗା, ଚିତ୍ତ, ପ୍ରତାପ, କାବେରୀ, ଅନିମା ପାଢ଼ି, ରୂପାଙ୍କ ଭଳି କଳାକାରଙ୍କ ସୁନ୍ଦର ଅଭିନୟ ନାଟକକୁ ସଫଳ ପ୍ରମାଣିତ କରିଛି । ସେହିପରି ସନାତନ ସେବା ସମିତି, ଘାଟିକିଆ ମଞ୍ଚକରେ ଧଉଳି ଗଣନାଟ୍ୟ ମଧ୍ୟ ଶେଷ ରାତିରେ ଦୀପକ ଜେନାଙ୍କ ରଚିତ ଓ ବିକ୍ରମ ନାୟକଙ୍କ ନିର୍ଦ୍ଦେଶିତ ନାଟକ ‘ସେ ଦିନର କଥା ମନେ ଅଛି ନା’ ମଞ୍ଚସ୍ଥ କରିଛି। ଲୋକପ୍ରିୟ ଅଭିନେତା ଗୌର ଦାସଙ୍କ ସମେତ ମୁନା-ନମିତା ଯୋଡ଼ି, ବରିଷ୍ଠ ଅଭିନେତା ଲୋକନାଥ ଲେଙ୍କ, ରାଧା, ମିଲନ, ସୁର, ରଞ୍ଜି, ଶାନମଣି ଓ ଧଡ଼ିଆଙ୍କ ଭଳି କଳାକାରଙ୍କ ଅଭିନୟ ମନଛୁଆଁ ହୋଇପାରିଛି । ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ପଡ଼ିଆରେ ସତ୍ୟ ଜେନାଙ୍କ ରଙ୍ଗର ମହଲ ଯାତ୍ରା ରଙ୍ଗମହଲ ବି ଶେଷ ପର୍ଯ୍ୟନ୍ତ ସେହି ଗୋଟିଏ ନାଟକକୁ ରିପିଟ୍‌ କରି ଦର୍ଶକଙ୍କ ଆଦୃତି ଲାଭ କରିଛି । ପାର୍ଟି ଅରୁଣ ବାରିକଙ୍କ ରଚିତ ଏବଂ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ ‘ମୁଁ ସେଇ ଭଦ୍ରକିଆ ଟୋକା’ ମଞ୍ଚସ୍ଥ କରିଛି ।

ନାୟକ ସୁବାସଙ୍କ ସହ ନାୟିକା ମାମା, ଦୀପୁ, ମାନସୀ, ଟାହିଆ ଓ ଚରିତ୍ର ଅଭିନେତା ବାସୁ ମହାନ୍ତି ମଞ୍ଚରେ ଚମତ୍କାର ଅଭିନୟ ଦର୍ଶକଙ୍କୁ କିମିଆ କରିଛି । ଜୟଦୁର୍ଗା ସାଂସ୍କୃତିକ ପରିଷଦ, ଜାଗମରା ମଞ୍ଚରେ ଦର୍ଶକଙ୍କୁ ମାୟାଜାଲରେ ଛନ୍ଦି ଦେଇଛି ‘ମାୟାବିନୀ ମୌସୁମୀ’ । ପାର୍ଟି ଶେଷ ରାତିରେ ମଧ୍ୟ ଚିନ୍ମୟ ଦାସଙ୍କ ରଚିତ ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶିତ ଅପେରା ସୂର୍ଯ୍ୟମନ୍ଦିର ନାରୀକୈନ୍ଦ୍ରିକ କାହାଣୀଭରା ନାଟକ ପରିବେଷଣ କରି ଦର୍ଶକଙ୍କ ମନକୁ ଜିଣି ପାରିଛି । ବିନୋଦ-ବେବିନାଙ୍କ ସହ ବହୁ ବରିଷ୍ଠ କଳାକାର ନାଟକକୁ ବଳିଷ୍ଠ କରିବାରେ ସକ୍ଷମ ହୋଇଛନ୍ତି । ଜାଗମରା ମେଳଣ ପଡ଼ିଆରେ ଖଣ୍ଡଗିରି ସାଂସ୍କୃତିକ ପରିଷଦ ମଣ୍ଡପରେ ରାଜଧାନୀ ଅପେରା ଶେଷ ରାତିରେ ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ଶେଷ ପର୍ଯ୍ୟନ୍ତ ରିପିଟ୍‌ କରିଛି । ପ୍ରତାପ-ଜିତା ଯୋଡ଼ି ଯାତ୍ରାପ୍ରେମୀଙ୍କୁ ମଞ୍ଚ ନିକଟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ।