ମୁମ୍ବାଇ : ଏଇ ନିକଟରେ ଶାଦ ଅଲିଙ୍କ ନିର୍ଦ୍ଦେଶିତ ଏବଂ ଶରମନ ଯୋଶୀଙ୍କ ଅପୋଜିଟ୍ରେ ଏକ ୱେବ୍ ସିରିଜ୍ର ସୁଟିଂ ଶେଷ କରୁ କରୁ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଅଭିନେତ୍ରୀ ଆଞ୍ଜେଲା କ୍ରିସଲିନ୍ଜକି । ଟାଇଟଲ ‘ତୌବା ତେରା ଜଲ୍ୱା’ । ଏଥିରେ ସେ ଅମିଷା ପଟେଲ, ଯତୀନ ଖୁରାନା ଓ ରାଜେଶ ଶର୍ମାଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଏହାର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଆକାଶାଦିତ୍ୟ ଲାମା ।
ଫିଲ୍ମର କାହାଣୀ ଶୁଣିବା ପରେ ଏଥିରେ କାମ କରିବାକୁ ଆଞ୍ଜେଲା ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ । ପ୍ରତ୍ୟେକ କଳାକାର ପାଇଁ ଏହା ଏକ ସ୍ୱପ୍ନର ଚରିତ୍ର ଏବଂ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ବୋଲି ଆଞ୍ଜେଲା କହିଛନ୍ତି । ଏଥିରେ ଦର୍ଶକ ତାଙ୍କ ଡି-ଗ୍ଲାମ୍ ଲୁକ୍ ଦେଖିବାକୁ ପାଇବେ । ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘୧୯୨୧’ ହେଉ କି ପୁରୀ ଜଗନ୍ନାଧଙ୍କର ‘ରୋଗ୍’, ସବୁଥିରେ ଆଞ୍ଜେଲା କେବଳ ଗ୍ଲାମରସ୍ ଭୂମିକା ନିର୍ବାହ କରିଥିଲେ ।
ତୌବା ତେରା ଜଲ୍ୱା’କୁ ସେ ନିଜର ପ୍ରଥମ ବଲିଉଡ୍ ଫିଲ୍ମ ବୋଲି କହିଛନ୍ତି । ‘୧୯୨୧’ରେ ସେ ନେଗେଟିଭ୍ ଭୂମିକାରେ ପରଦାକୁ ଓହ୍ଲାଇଥିଲେ । ଏଥିରେ କିନ୍ତୁ ପଜିଟିଭ୍ ଲିଡ୍ ନାୟିକା ଭୂମିକାରେ ପାଦ ଦେବେ । ଫିଲ୍ମର ଚରିତ୍ରକୁ ପର୍ଫେକ୍ଟ କରିବା ଲାଗି ଆଞ୍ଜେଲା ୫ କିଲୋ ଓଜନ ବଢ଼ାଇଛନ୍ତି । ଫିଲ୍ମରେ ଜଣେ ସାଦାସିଧା ଗାଜିଆବାଦୀ ଝିଅ ଭୂମିକା ସେ ନିର୍ବାହ କରିଛନ୍ତି, ଯିଏକି ଟିଭି ଦେଖିବାକୁ ଭଲପାଏ । ପୋଷାକ ପରିଧାନ ଶୈଳୀ ଉପରେ ତା’ର କୌଣସି ଧାରଣା ନାହିଁ । ତେବେ ବେଶି କିଛି ନିଜ ଚରିତ୍ର ବିଷୟରେ ସେ କହିନାହାନ୍ତି । ଏଥିରେ ଅମିଷା ପଟେଲଙ୍କୁ ଜଣେ ସୁପର୍ ଗ୍ଲାମରସ୍ ମହିଳା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।