ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରକୁ ଆସିଛି କୁନି ଅତିଥି। ଦ୍ବିତୀୟ ଥର ପାଇଁ ଶିଳ୍ପା ହୋଇଛନ୍ତି ମା’। ଏହି ଅଭିନେତ୍ରୀ ଦ୍ବିତୀୟ ଥର ପାଇଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଳ୍ପା ତାଙ୍କ ଝିଅର ଫଟୋ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଝିଅର ନାଁ ମଧ୍ୟ କହିଛନ୍ତି। ୧୫ ଫେବୃଆରୀ ୨୦୨୦ରେ ଜନ୍ମଗ୍ରହଣ କରିଛନ୍ତି ଶିଳ୍ପାଙ୍କ ଝିଅ ସାମିଶା ସେଟ୍ଟୀ କୁନ୍ଦ୍ରା।
ଶିଳ୍ପା ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଚାରିଆଡୁ ତାଙ୍କୁ ମିଳିବାରେ ଲାଗିଛି ଅଭିନନ୍ଦନ। ସବୁଠାରୁ ଖାସ୍ କଥା ହେଲା ସେ ଏଥର ସରୋଗେସୀ ପକ୍ରିୟାରେ ମା’ ହୋଇଛନ୍ତି। ଶିଳ୍ପା ପୂର୍ବରୁ ମଧ୍ୟ ଏକ ପୁତ୍ର ସନ୍ତାନର ମା’। ତାଙ୍କ ପୁଅ ବିହାନଙ୍କୁ ଏବେ ୭ ବର୍ଷ। ଶିଳ୍ପା ପୁଣିଥରେ ମା’ ହେବାକୁ ଯାଉଛନ୍ତି ସେ ବିଷୟରେ କାହାକୁ ଖବର ନଥିଲା। ଶିଳ୍ପା ଏପର୍ଯ୍ୟନ୍ତ ନିଜ ଝିଅର ମୁହଁ କାହାକୁ ଦେଖାଇ ନାହାନ୍ତି, କିନ୍ତୁ ଏକ ସୁନ୍ଦର ଫଟୋ ସେ ସେୟାର କରିଛନ୍ତି। ଯେଉଁଥିରେ ସାମିୟା ନିଜର କୁନି କୁନି ଆଙ୍ଗୁଳିରେ ଶିଳ୍ପାଙ୍କ ହାତକୁ ଧରିଛନ୍ତି।
ଶିଳ୍ପା ଏହି ଫଟୋର କ୍ୟାପ୍ସନ ଦେଇଛନ୍ତି- ଓମ୍ ଶ୍ରୀ ଗଣେଶାୟ ନମ: ଏହି ଚମତ୍କାର ସହିତ ଆମର ପ୍ରାର୍ଥନା ଭଗବାନ ଶୁଣିଛନ୍ତି। ହୃଦୟରୁ ଧନ୍ୟବାଦ ଜଣାଇବା ସହ ରୋମାଞ୍ଚିତ ହୋଇ ଘୋଷଣା କରୁଛି ଯେ, ଆମ ଘରକୁ ଏକ କୁନି ପରୀ ଆସିଛି। ନିଜର ଝିଅର ନାଁ ସାମିୟା ରଖିବାର ଅର୍ଥ ମଧ୍ୟ ଜଣାଇଛନ୍ତି ଶିଳ୍ପା। ସେ ଲେଖିଛନ୍ତି, ଘରକୁ ଆସିଛି ଜୁନିୟର ଏସଏସକେ। ସଂସ୍କୃତରେ ‘ସ’ର ଅର୍ଥ ପ୍ରାପ୍ତ କରିବା ଓ ‘ମିଶା’ର ରଷିୟାନ ଅର୍ଥରେ ’ଯିଏକି ଭଗବାନଙ୍କ ଜିନିଷ’। ତୁମେ ଏହି ନାଁକୁ ସାକାର କରୁଛି, ଆମର ଲକ୍ଷ୍ମୀମାତା ଓ ଆମର ପରିବାରକୁ ସମ୍ପୂର୍ଣ୍ଣ କରୁଛୁ।’