ମୁମ୍ବାଇ : ଫିଲ୍ମ ‘ଲଭ୍ ଆଜ୍ କଲ୍’ ସିକ୍ୱେଲକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବି-ଟାଉନ୍ର ଫ୍ରେଶ୍ ଗର୍ଲ ପ୍ରଣତି ରାଏ ପ୍ରକାଶ । ତାଙ୍କ ପ୍ରଦର୍ଶନକୁ ଇଣ୍ଡଷ୍ଟ୍ରିର ସେଲିବ୍ରିଟି, ସମୀକ୍ଷକ ଓ ଫ୍ୟାନ୍ ଖୁବ୍ ପସନ୍ଦ କରିଛନ୍ତି । ଛୋଟ ଭୂମିକାରେ ଏହି ବବ୍ଲି ଗର୍ଲ ସମସ୍ତଙ୍କ ହୃଦୟ ଜିତିଛନ୍ତି । କେବଳ ନିଜ ପ୍ରଦର୍ଶନ ପାଇଁ ନୁହେଁ, ପ୍ରଶଂସନୀୟ ବ୍ୟକ୍ତିତ୍ୱ ପାଇଁ ମଧ୍ୟ ସିନେ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି ।
ଆରମ୍ଭରୁ ଇମ୍ତିଆଜ ଅଲିଙ୍କ ସହ କାମ କରିବାକୁ ପ୍ରଣତି ଚାହୁଁଥିଲେ । ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ‘ଲଭ୍ ଆଜ୍ କଲ୍-୨’ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି । ଉତ୍ସାହିତ ହୋଇ ଇମ୍ତିଆଜଙ୍କ ସହ ପ୍ରଥମ ଭେଟ ବିଷୟରେ ସେ ବର୍ଣ୍ଣନା କରିଛନ୍ତି ।
ଫିଲ୍ମର ଶେଷ ଅଡିସନ୍ ପାଇଁ ଯେତେବେଳେ ପ୍ରଣତିଙ୍କ ନିକଟକୁ ଫୋନ୍ ଗଲା, ସେ ଏତେ ଖୁସି ହୋଇଗଲେ ଯେ ପେଟରେ ପ୍ରଜାପତି ଉଡ଼ିବାର ଅନୁଭବ କଲେ । ଇମ୍ତିଆଜଙ୍କ ସହ କାମ କରିବା ତାଙ୍କ ପାଇଁ ଚମତ୍କାର ଅନୁଭବ । ପ୍ରଣତିଙ୍କ ଉଦ୍ଦେଶ୍ୟରେ ଇମ୍ତିଆଜ କହିଥିଲେ ‘ଉଜ୍ଜ୍ୱଳ ଯୁବ ପ୍ରତିଭା, ତାଙ୍କ ସହ କାମ କରିବାର ମୁହୂର୍ତ୍ତ ଅତି ସୁନ୍ଦର ଥିଲା’। ଏହି କଥାକୁ ସାରାଜୀବନ ହୃଦୟରେ ସାଇତି ରଖିବାକୁ ପ୍ରଣତି କହିଛନ୍ତି । ‘ଜବ୍ ୱି ମେଟ୍’ ପରଠୁ ଇମ୍ତିଆଜ ପ୍ରଣତିଙ୍କ ସ୍ୱପ୍ନର ନିର୍ଦ୍ଦେଶକ ହୋଇ ରହିଛନ୍ତି । ଭାରତର ଅପ୍କମିଙ୍ଗ ଟପ୍ ମଡେଲରୁ ଆରମ୍ଭ କରି ‘ଲଭ୍ ଆଜ୍ କଲ୍’ ପର୍ଯ୍ୟନ୍ତ ପ୍ରଣତିଙ୍କ ଯାତ୍ରା ଖୁବ୍ ଭଲ ରହିଛି । ସେ ଏମିତି ପ୍ରଶଂସକ ପାଇଛନ୍ତି, ଯାହା କଲେ ବି ଲୋକେ ତାଙ୍କୁ ଭଲପାଉଛନ୍ତି । ବହୁତ କମ୍ କଳାକାରଙ୍କ ଭାଗ୍ୟରେ ଏହା ଜୁଟେ ।
ଜିମି ଶେରଗିଲ ଓ ମାହି ଗିଲ୍ଙ୍କ ଅଭିନୀତ ଫିଲ୍ମ ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’ ଜରିଆରେ ପ୍ରଣତି ବଲିଉଡ୍ରେ ଏଣ୍ଟ୍ରି କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ସବୁ ମହଲରେ ପ୍ରଶଂସିତ ହୋଇଥିଲା