ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ମୁମ୍ବାଇଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଡନୀ ଫେଲୁୟର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
ତେବେ ଲକଡାଉନ ଯୋଗୁ ମିଥୁନ ଚକ୍ରବର୍ତ୍ତୀ ବେଙ୍ଗାଲୁରୁରେ ଫସିରହିଥିବାରୁ ଅନ୍ତିମ ସମୟରେ ପିତାଙ୍କ ପାଖରେ ଉପସ୍ଥିତ ହୋଇପାରିନଥିଲେ। ଏବେ ସେ ମୁମ୍ବାଇ ଫେରିବାକୁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି।
ଅନ୍ୟପଟେ ଲୋକପ୍ରିୟ ବେଙ୍ଗଲି ଅଭିନେତ୍ରୀ ଋତୁପର୍ଣ୍ଣ ସେନ ଗୁପ୍ତା ମଧ୍ୟ ଟ୍ୱିଟ କରି ମିଥୁନ ଚକ୍ରବର୍ତ୍ତୀଙ୍କୁ ପିତାଙ୍କ ମୃତ୍ୟୁ ପାଇଁ ସମବେଦନା ଜଣାଇଛନ୍ତି। ସେ ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ଧରିବାକୁ କହିବା ସହ ପିତାଙ୍କ ଆତ୍ମାର ଶାନ୍ତି କାମନା କରିଛନ୍ତି।