ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ର ଏବେ ଲକଡାଉନରେ ନିଜ ଫାର୍ମ ହାଉସରେ ସମୟ ବିତାଉଛନ୍ତି। ନିକଟରେ ସେ ନିଜ ଫ୍ୟାନମାନଙ୍କ ସହ ଏକ ଗୁଡ ନ୍ୟୁଜ ସେୟାର କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ କରି ଫ୍ୟାନମାନଙ୍କୁ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ସେ କହିଛନ୍ତି, ତାଙ୍କ ଗାଈ ଏକ ବାଛୁରୀକୁ ଜନ୍ମ ଦେଇଛି।
ଭିଡ଼ିଓରେ ଏକ ଗାଈ ତା’ ବାଛୁରୀକୁ ଗେଲ କରୁଥିବାର ଦେଖିବାକୁ ମିଳୁଛି। ଭିଡ଼ିଓଟିକୁ ସେୟାର କରି ଧର୍ମେନ୍ଦ୍ର କ୍ୟାପସନ ଲେଖିଛନ୍ତି, ‘ଶୁଭେଚ୍ଛା, କାଲି ରାତିରେ ମୋ ସାହିବାଲ ଗାଈ ଏକ ବାଛୁରୀକୁ ଜନ୍ମ ଦେଇଛି। ମୋତେ ବି ପାଖକୁ ଆସିବାକୁ ଦେଉନି। ଏହି ବାଛୁରୀର ଦାଦୀକୁ ମୁଁ ସାହନେବାଲ ନିକଟସ୍ଥ ବେନି ସାହିବରୁ ନେଇକି ଆସିଥିଲି। ପ୍ରତ୍ୟେକ ମା’ ନିଜ ପିଲାର ସୁରକ୍ଷାକୁ ନେଇ ଚିନ୍ତିତ ଥାନ୍ତି। ମୁଁ ଏହି ଲୋକଙ୍କ ସହିତ ବହୁତ ଖୁସି ଅଛି’।
ତେବେ ଧର୍ମେନ୍ଦ୍ର ଲକଡାଉନ ପୂର୍ବରୁ ହିଁ ନିଜ ଫାର୍ମ ହାଉସକୁ ଆସିଥିଲେ ଏବଂ ସେବେଠାରୁ ସେଠାରେ ରହୁଛନ୍ତି। ବିଗତ ଦିନରେ ସେ ଫାର୍ମ ହାଉସରେ ଚାଷ କରିଥିବା ବିଭିନ୍ନ ପନିପରିବା ସହିତ ନଜର ଆସିଥିଲେ। ଏହାର ଭିଡ଼ିଓ ବି ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।