Odia News Portal

ପୁଣି ଥରେ ଚର୍ଚ୍ଚାରେ ଓଡ଼ିଆ ଝିଅ ସୋନା ମହାପାତ୍ର

ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ଓଡ଼ିଆ ଝିଅ ସୋନା ମହାପାତ୍ର । ଏଥର କିନ୍ତୁ କୌଣସି ବିବାଦ ପାଇଁ ନୁହେଁ ବରଂ ଏକ ପ୍ରେମ ଚିଠିକୁ ନେଇ ସେ ଆଲୋଚନା ପରିସରକୁ ଆସିଛନ୍ତି । ନିଜ ରାଜ୍ୟର କଳା, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତକୁ ନେଇ ସାରା ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ଯାଇ ସୋନା ଏ ଚିଠି ଲେଖିଛନ୍ତି ।

ଏନେଇ ଗତ ୨୨ ତାରିଖରେ ସେ ତାଙ୍କ ଟ୍ୱିଟର୍‌ରେ ସମ୍ପୂର୍ଣ୍ଣ ବିବରଣୀ, ଫଟୋ ପୋଷ୍ଟ କରିଛନ୍ତି । ସୋନାଙ୍କ ଏହି ଚିଠି ହେଲା ‘ନୀଳମଣି’ ଶୀର୍ଷକ ଏକ ଓଡ଼ିଆ ମ୍ୟୁଜିକ୍‌ ଭିଡିଓ । ଯାହାକୁ ସୋନା ଅଫିସିଆଲ୍‌ ରିଲିଜ୍‌ କରିଛନ୍ତି । ସୋନା ଏବଂ ତାଙ୍କ ସ୍ୱାମୀ ରାମ ସମ୍ପଥ ମିଶି ଏହାକୁ ନିର୍ମାଣ କରିଛନ୍ତି ।

ନିକଟରେ ବାତ୍ୟା ଅମ୍‌ପନ୍‌ ସମେତ ଅନେକ ଘୂର୍ଣ୍ଣିବଳୟର ସମ୍ମୁଖୀନ ହୋଇଥିବା ଓଡ଼ିଶାର ସାହସୀ ଲୋକଙ୍କ ପାଇଁ ଏହି ଗୀତ ଉତ୍ସର୍ଗୀକୃତ ହୋଇଛି । ଯେଉଁଥିରେ ବାତ୍ୟା ଏବଂ ତାକୁ ପ୍ରତିହତ କରିବା ପାଇଁ ଲୋକଙ୍କ ସଂକଳ୍ପ ଓ ସାହସ ସହିତ ପାରମ୍ପରିକ କଳା ଓ ଲୋକକଳାକୁ ଦେଖାଯାଇଛି । ସମ୍ବଲପୁରୀ ଧୂନ୍‌ର ତାଳେ ତାଳେ ସୋନା ଗୋଟିପୁଅଠାରୁ ଆରମ୍ଭ କରି ସେମାନଙ୍କ ବେଶଭୂଷା ଓ ପରମ୍ପରାକୁ ଦେଖାଇଛନ୍ତି । ଏଥିସହିତ ଭିଡିଓରେ ପାରମ୍ପରିକ ରଘୁରାଜପୁରର ପଟ୍ଟଚିତ୍ର, ଭୁବନେଶ୍ୱର ହୀରାପୁର ଚଉଷଠି ଯୋଗିନୀ ମନ୍ଦିର, ରାଜାରାଣୀ ମନ୍ଦିରର ସୌନ୍ଦର୍ଯ୍ୟ ଓ ସୂକ୍ଷ୍ମ କଳାକାରିଗରୀକୁ ନିଖୁଣ ଭାବେ ଉପସ୍ଥାପନା କରାଯାଇଛି ।

ଭିଡିଓର କିଛି ଅଂଶରେ ଓଡ଼ିଶାର ଗ୍ରାମାଞ୍ଚଳର ଦୃଶ୍ୟ ସାଙ୍ଗକୁ ସୋନାଙ୍କ ସଙ୍ଗୀତ କନସର୍ଟ ପାଇଁ ଯାତ୍ରା କରୁଥିବା ସମୟକୁ ଦେଖା ଯାଇଛି । ସୋନା ଏବଂ ତାଙ୍କ ସ୍ୱାମୀ ରାମ ସମ୍ପଥଙ୍କ ନିଜ ମାଟିର କଳାକାରଙ୍କୁ ଭେଟି ଦେବାର ପ୍ରୟାସକୁ ଆଜି କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱ ପ୍ରଶଂସା କରିଛି । ମ୍ୟୁଜିକ୍‌ ଭିଡିଓ ଶୀର୍ଷକ ‘ନୀଳମଣି’କୁ ବ୍ୟାଖ୍ୟା କରିବାକୁ ଯାଇ ସୋନା କହିଛନ୍ତି, ଏହାର ସାହିତ୍ୟିକ ଅର୍ଥ ହେଉଛି ‘ନୀଳ ରତ୍ନ’ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏହି ନାମରେ ସମ୍ବୋଧନ ବି କରାଯାଇଥାଏ ।