ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏବେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କିଏ କହୁଛି ସେ ଡିପ୍ରେସନ୍ ଯୋଗୁ ମୃତ୍ୟୁବରଣ କରିଛନ୍ତି ତ ଆଉ କିଏ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଦୋଷ ଦେଇଛନ୍ତି। ତେବେ ଏହି ବଲିଉଡ୍ ଷ୍ଟାରଙ୍କ ମୃତ୍ୟୁର ରହସ୍ୟ ଖୋଲିବାକୁ ଏବେ କ୍ରାଇମ୍ବ୍ରାଞ୍ଚ୍ ମଧ୍ୟ ଲାଗିପଡ଼ିଛି। ଆଜି ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବାକୁ ପୋଲିସ ଡାକିଛି। ବାନ୍ଦ୍ରା ପୋଲିସ ଷ୍ଟେସନ୍ରେ ସେ ନିଜ ବୟାନ ରଖିଛନ୍ତି। ଏବେ ଯାଏଁ ଏହି ମାମଲାରେ ପୋଲିସ ୬ ଜଣଙ୍କୁ ପଚରାଉଚରା କରିସାରିଲାଣି। ଏଣୁ ଖୁବ୍ଶୀଘ୍ର ଏହି ମାମଲା ଉପରୁ ପରଦା ଉଠିବ ବୋଲି କୁହାଯାଉଛି।
ତେବେ ଇତି ମଧ୍ୟରେ ଆଜି ଗଙ୍ଗାରେ ସୁଶାନ୍ତରେ ଅସ୍ଥି ବିସର୍ଜନ କରିବାକୁ ପରିବାର ଲୋକ ପାଟଣା ଯାଇଛନ୍ତି। ଜୁନ୍ ୧୪ରେ ମୃତ୍ୟୁ ଘଟିଥିବା ବେଳେ ଅନ୍ତିମ ସଂସ୍କାର ପରେ ପରିବାର ଲୋକ ପୋଲିସର ତଦନ୍ତରେ ସାହାଯ୍ୟ କରିବାକୁ ମୁମ୍ବାଇରେ ରହିଥିଲେ। କିନ୍ତୁ ଆଜି ସେମାନେ ନିଜ ଘର ପାଟଣାକୁ ଫେରିଆସିଛନ୍ତି। ନିଜ ସହ ପୁଅର ଅସ୍ଥିକୁ ବି ଗଙ୍ଗାରେ ବିସର୍ଜନ କରିବାକୁ ନେଇଛନ୍ତି। ଏନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ନିଜ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି।
ଘରର ଏକମାତ୍ର ପୁଅର ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଛି। ୟୁଏସ୍ରେ ଥିବା ହେତୁ ଶ୍ୱେତା ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ବେଳେ ପହଞ୍ଚିପାରିନଥିଲେ। କିନ୍ତୁ ଅସ୍ଥି ବିସର୍ଜନ ବେଳେ ସେ ଆସିପାରିନଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ପିତା କେକେ ସିଂହ ତାଙ୍କୁ ମୁଖାଗ୍ନି ଦେଇଥିଲେ