Odia News Portal

ବଲିଉଡ୍ ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡ୍ ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମୁମ୍ବାଇର ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଯାହା ନେଗେଟିଭ ଆସିଥିଲା।

ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିବାର ଶ୍ରେୟ ଦିଆଯାଇଛି । ୨୨ ନଭେମ୍ବର ୧୯୪୮ରେ ଜନ୍ମ ହୋଇଥିବା ସରୋଜ ଖାନ ବଲିଉଡର ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସମସ୍ତେ ତାଙ୍କ କାମକୁ ପ୍ରଶଂସା କରନ୍ତି ।

ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଗୀତର କୋରିଓଗ୍ରାଫି କରିଛନ୍ତି । କୋରିଓଗ୍ରାଫର ଭାବରେ ୭୧ ବର୍ଷ ବୟସ୍କ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।