Odia News Portal

ବଲିଉଡ୍‌ ଇଣ୍ଡଷ୍ଟ୍ରୀକୁ ଆଉ ଏକ ଝଟ୍‌କା

ବଲିଉଡ୍‌କୁ ଆଉ ଏକ ଝଟ୍‌କା। ପୁଣିଥରେ ଅଶୁଭ ପ୍ରମାଣିତ ହୋଇଛି ବର୍ଷ ୨୦୨୦। ଗତ କିଛି ମାସ ହେବ ଇଣ୍ଡଷ୍ଟ୍ରୀର ବହୁ ଜଣାଶୁଣା କଳାକାର ଦୁନିଆକୁ ଅଲବିଦା କହିଥିବା ବେଳେ ଏବେ ଅଭିନେତ୍ରୀ କୁମ୍‌କୁମ୍‌ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

୧୯୩୪ ଏପ୍ରିଲ ୨୨ ତାରିଖରେ ଜନ୍ମିତ କୁମ୍‌କୁମ୍‌ଙ୍କ ପ୍ରକୃତ ନାମ ଥିଲା ଜୈବୁନିସା। ବିହାରର ଶେଖପୁରାଠାରେ ସେ ଜନ୍ମଗ୍ରହଣ କରିଥିଲେ। କୁମ୍‌କୁମ୍‌ଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦେଇଥିଲେ ଗୁରୁଦତ୍ତ। ୧୯୫୪ରେ ଫିଲ୍ମ ଆରପାରରେ କୁମ୍‌କୁମ୍‌ଙ୍କ ଅଭିନୀତ ଗୀତ ‘କଭି ଆର କଭି ପାର ଲାଗା ତୀରେ ନଜର’ ବେଶ୍‌ ଲୋକପ୍ରିୟ ହୋଇଥିଲା।

କୁମ୍‌କୁମ୍‌ ପ୍ରାୟ ୧୧୫ଟି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ମିଷ୍ଟର ଏକ୍ସ ଇନ୍‌ ବମ୍ବେ(୧୯୬୪), ମଦର ଇଣ୍ଡିଆ(୧୯୫୭), ସନ୍‌ ଅଫ୍‌ ଇଣ୍ଡିଆ(୧୯୬୨), କୋହିନୂର, ଆଖେଁ, ଲଲକାର, ଏକ କୁଆଁରା ଏକ କୁଆଁରୀ, ଶ୍ରୀମାନ୍‌ ଫଣ୍ଟୁସ୍‌ ଆଦିରେ ସେ ଅଭିନୟ କରିଛନ୍ତି। କିଶୋର କୁମାରଙ୍କ ସହ ମଧ୍ୟ କୁମ୍‌କୁମ୍‌ ସ୍କ୍ରିନ୍‌ ସେୟାର କରିଥିଲେ। ଫିଲ୍ମ କୋହିନୂରର ମଧୁବନ ମେଁ ରାଧିକା ନାଚେ ଗୀତରେ ତାଙ୍କ ଡ୍ୟାନ୍ସକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସେ ସଜ୍ଜାଦ ଅକବର ଖାନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅଲବିଦା କହିଥିଲେ।