Odia News Portal

ପୁଣିଥରେ ମା’ ହେବାକୁ ଯାଉଛନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ତୈମୁର ଖୁବ୍‌ଶୀଘ୍ର ବଡ଼ ଭାଇ ଦାୟିତ୍ୱ ସମ୍ପାଦନା କରିବେ। ଏନେଇ କରୀନା ଓ ସୈଫ୍‌ ପରୋକ୍ଷରେ କହିଛନ୍ତି। ମା’ ହେବା ନେଇ କରୀନା କହିଛନ୍ତି ଯେ ‘ଖୁବ୍‌ଶୀଘ୍ର ଆମ ପରିବାର ସହ ଆଉ ଜଣେ ନୂଆ ସଦସ୍ୟ ଯୋଡ଼ି ହେବାକୁ ଯାଉଛନ୍ତି। ଆମେ ଏଥିପାଇଁ ବହୁତ ଖୁସି ଅଛୁ। ଆପଣ ସମସ୍ତଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ। କରୀନାଙ୍କର ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ ସେ ମା’ ହେବାକୁ ଯାଉଛନ୍ତି।

ତେବେ କିଛି ଦିନ ତଳେ ଏହି ମାମଲାରେ କରୀନାଙ୍କ ବାପା ରଣଧୀର କପୁର କହିଥିଲେ ଯେ କରୀନା କିମ୍ବା ସୈଫ୍‌ କେହି ବି ଏ ବିଷୟରେ ଏ ପର୍ଯ୍ୟନ୍ତ କିଛି କହିନାହାନ୍ତି। ଯଦି ଏହା ସତ ତେବେ ଖୁବ୍‌ ଖୁସିର କଥା। ଦୁଇଟି ପିଲା ହେବା ଜରୁରୀ। ଆଉ ଏକ ଛୁଆ ହେଲେ ତୈମୁରକୁ ବି ସାଙ୍ଗ ମିଳିଯିବ ବୋଲି କହିଥିଲେ ରଣଧୀର।

ସୂଚନାଯୋଗ୍ୟ ଯେ ୨୦୧୨ ମସିହା ଅକ୍ଟୋବରରେ କରୀନା ଓ ସୈଫ୍‌ ବିବାହ କରିଥିଲେ। ୨୦୧୬ ଡିସେମ୍ବରରେ ତୈମୁର ଜନ୍ମ ହୋଇଥିଲେ। ଏବେ ତାଙ୍କୁ ସାଢ଼େ ୩ ବର୍ଷ। ତେବେ ନିଜ ପ୍ରଥମ ଗର୍ଭାବସ୍ଥା ବେଳେ କରୀନା ନିଜ ଲୁକ୍‌କୁ ନେଇ ବେଶ୍‌ ଯତ୍ନବାନ୍‌ ଥିଲେ। ଗର୍ଭାବସ୍ଥାର ୩ ମାସ ବେଳେ ସେ ର‍୍ୟାମ୍ପ ଓ୍ଵାକ୍‌ ମଧ୍ୟ କରିଥିଲେ, ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।