Odia News Portal

ପୁଣି ବିବାଦରେ ଫସିଲେ ଏହି ଅଭିନେତ୍ରୀ

ବଲିଉଡ ନାୟିକା ସ୍ୱରା ଭାସ୍କର ଏବେ ପୁଣି ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦକୁ ନେଇ ସୁପ୍ରିମକୋର୍ଟ ଯେଉ ରାୟ ଦେଇଥିଲେ ତାହାକୁ ସେ କଡ଼ା ସମାଲୋଚନା କରିବା ସହିତ ଉଭୟ ସୁପ୍ରିମକୋର୍ଟ ଏବଂ ଏହାର ବିଚାରପତିମାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।

ଏହାଯୋଗୁ ଅଦାଲତଙ୍କର ସମ୍ମାନ ହାନି ହୋଇଛି ବୋଲି ଅଭିଯୋଗ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ୟାନେଲ ଡିସକସନରେ ଭାଗନେବା ଅବସରରେ ସେ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ଯେ ସ୍ୱରା କେବଳ ସୁପ୍ରିମକୋର୍ଟଙ୍କ ଅବମାନନା କରିନାହାନ୍ତି ବରଂ ସାଧାରଣ ଲୋକଙ୍କୁ ଅଦାଲତଙ୍କ ବିରୋଧରେ ଉସୁକାଇବାକୁ ଚେଷ୍ଟା କରିଥିଲେ ।

ତେଣୁ ତାଙ୍କ ବିରୋଧରେ ଏହି କାରଣରୁ ଫୌଜଦାରୀ ମାମଲା ଦାୟର କରାଯାଉ । ଉକ୍ତ ଆବେଦନ ଉପରେ ଏବେ ଆଟର୍ଣ୍ଣି ଜେନେରାଲଙ୍କ ସ୍ୱୀକୃତି ଲୋଡାଯାଇଛି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ଯେକୌଣସି ଅଦାଲତ ଅବମାନନା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବା ପୂର୍ବରୁ ତାକୁ ଆଟର୍ଣ୍ଣି ଜେନେରାଲ ସ୍ୱୀକୃତି ଦେବା ଆବଶ୍ୟକ ।