ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍ଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ ସହାୟତା ପ୍ରଦାନ କରିଥିବା ସୋନୁ ଏନେଇ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ସୂଚନା ଦେଇଛନ୍ତି।
ସୋନୁ କହିଛନ୍ତି ସେ ଆରମ୍ଭ କରିଥିବା ‘ପ୍ରବାସୀ ରୋଜଗାର’ ଅନ୍ତର୍ଗତ ଏହି ଶ୍ରମିକଙ୍କୁ ନୋଏଡ଼ାର ଏକ ଡ୍ରେସ୍ କାରଖାନାରେ ଚାକିରି ବି ଦେଇଛନ୍ତି। ସୋନୁ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି ‘ଏବେ ୨୦,୦୦ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ବ୍ୟବସ୍ଥା କରି ମୁଁ ବେଶ୍ ଖୁସି ଅଛି। ଏହି ଶ୍ରମିକଙ୍କୁ ପ୍ରବାସୀ ରୋଜଗାର ଅନ୍ତର୍ଗତ ନୋଏଡ଼ାର ବସ୍ତ୍ର କାରଖାନାରେ ଚାକିରି ବି ଦିଆଯାଇଛି। ଏନ୍ଏଇସି ଅଧ୍ୟକ୍ଷ ଶ୍ରୀ ଲଳିତ ଠକରାଲଙ୍କ ସହାୟତାରେ ଆମେ ସମସ୍ତେ ମିଶି ୨୪ ଘଣ୍ଟା ପ୍ରବାସୀ ରୋଜଗାର ପାଇଁ କାମ କରୁଛୁ’।
ସୋନୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଶ୍ରମିକଙ୍କୁ ସ୍ୱଚ୍ଛ ଆବାସ ସୁବିଧା ମଧ୍ୟ ଦିଆଯିବ। ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସୋନୁ ନିକଟରେ ଏକ ଆପ୍ ମଧ୍ୟ ଜାରି କରିଛନ୍ତି।