ମୁମ୍ବାଇ : ଆଜିକାଲି ବଲିଉଡ୍ ସେଲିବ୍ରିଟି ସାଉଥ୍ ମୁହାଁ ହେବାର ଟ୍ରେଣ୍ଡ ଚାଲିଛି । ଅକ୍ଷୟ କୁମାର ‘୨.୦’ ରେ ଅଭିନୟ କରିଥିବାବେଳେ ପୂଜା ହେଗ୍ଡେଙ୍କୁ ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ । ସେହିପରି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଆଗକୁ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ସ୍କ୍ରିନ୍ ସେୟାର କରିବେ । ସଦ୍ୟତମ ଖବର ଅନୁସାରେ ଏବେ ଅଭିନେତ୍ରୀ ଜାହ୍ନବୀ କପୁର ସେହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ।
ସେ ସୁପରଷ୍ଟାର ଜୁନିଅର ଏନ୍ଟିଆରଙ୍କ ବିପକ୍ଷରେ ତାଙ୍କ ତେଲଗୁ ଡେବ୍ୟୁ କରିପାରନ୍ତି । ଫିଲ୍ମର ଟାଇଟଲ ରହିଛି ‘ ଆଇନାନୁ ପୋୟି ରାଭଲେ ହସ୍ତିନାକୁ’ । ଏ ସଂପର୍କରେ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମର ନିର୍ମାତାମାନେ ଏନ୍ଟିଆରଙ୍କ ବିପକ୍ଷରେ ଅଭିନୟ ପାଇଁ ଏକ ନୂଆ ମୁହଁ ସନ୍ଧାନ କରୁଥିଲେ।
ସେଥିଲାଗି ଜାହ୍ନବୀଙ୍କ ସହ ଆଲୋଚନା ଚାଲିଛି । ଯଦି ସବୁକିଛି ଠିକଠାକ୍ ରହେ ତା’ ହେଲେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇପାରେ।’ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ଦୋସ୍ତାନା-୨’ ଏବଂ ‘ତଖ୍ତ’ରେ ଦେଖିବାକୁ ମିଳିବ।
