ଭୁବନେଶ୍ୱର : କେତେବେଳେ ଏବଂ କେମିତି କାହା ଭାଗ୍ୟ ଖୋଲିଯିବ ତାହା ଜାଣିବା ଜମା ସହଜ ନୁହେଁ । ଏଇ ଯେମିତି ରାନୁ ମଣ୍ଡଳ । ରେଲୱେ ଷ୍ଟେସନରୁ ଗୀତ ଗାଉଥିଲେ, ଆଉ ଆଜି ହିମେଶ ରେଶମିୟାଙ୍କ ସହ ଗୀତ ଗାଉଛନ୍ତି । ଅନେକ ବଡ ବଡ ଅଫର୍ ମଧ୍ୟ ଆସିଲାଣି । ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ମଧ୍ଯ ରାନୁଙ୍କ ଗୀତ ଶୁଣିବା ପରେ ତାଙ୍କ ଫ୍ୟାନ୍ ହୋଇଯାଇଛନ୍ତି । ତେବେ ଅନ୍ଯପଟେ କିଛି ସୋସିଆଲ ମିଡିଆ ୟୁଜର୍ସ ରାନୁଙ୍କ ଗୀତ ତେରିମେରିକୁ ନେଇ ଟିକଟକ୍ ଭିଡିଓ ବନାଇବାରେ ଲାଗିପଡିଛନ୍ତି । କମେଡିଆନ୍ ପପୁ ପମ୍ ପମଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ସେଥିରେ ପପୁ ଓ ତାଙ୍କର ଜଣେ ସହଯୋଗୀ, ରାନୁ ଓ ହିମେଶ ରେଶମିୟାଙ୍କ ଗୀତ ତେରିମେରିକୁ ନକଲ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ପପୁଙ୍କୁ ସମାଲୋଚନା କରିଥିଲେ । କିଛି ୟୁଜର୍ସ କମେଣ୍ଟ ମଧ୍ଯ କରିଥିଲେ ଯେ ଜଣେ କଳାକାର ହୋଇ ଅନ୍ୟ ଜଣେ କଳାକାରଙ୍କୁ ଅସମ୍ମାନ କରିବା ଅନୁଚିତ୍ । ତେବେ ସୋସିଆଲ ମିଡିଆ ଆପ୍ ଟିକଟକରେ ରାନୁଙ୍କ ସେହି ଗୀତ ତେରିମେରି ର କ୍ରେଜ୍ ବଢିବାରେ ଲାଗିଛି । ଯୁବପିଢୀ ସେହି ଗୀତରେ ଟିକଟକ୍ ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।ଏପରିକି କିଛି ୟୁଜର୍ସ ମାଇକ୍ ବଦଳରେ ବୋତଲକୁ ମାଇକ୍ ଭଳି ରଖି ସେଥିରେ ଗୀତ ବୋଲିବାର ଆକ୍ଟିଂ କରୁଛନ୍ତି । କହିରଖୁଛୁ ରାନୁ ମଣ୍ଡଲ ପ୍ଲାଟଫର୍ମରେ ଗୀତ ବୋଲୁଥିଲେ । ପରେ ତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ଚର୍ଚ୍ଚାକୁ ଆସିଲେ । ଏହାପରେ ହିମେଶ ରେଶମିୟାଁ ନିଜର ଏକ ଗୀତରେ ତାଙ୍କୁ ସୁଯୋଗ ଦେଲେ । ତାଙ୍କ ନିର୍ଦ୍ଦେଶନାରେ ଗୀତ ‘ତେରିମେରି’ ବୋଲୁଥିବା ବେଳେ ରାନୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।