Odia News Portal

୩୦ ବର୍ଷ ପରେ ବି ମନେ ପଡେ ସୁକାନ୍ତିଙ୍କ ଏଇ ଅଭିନୟ

ଭୁବନେଶ୍ବର : ଶେଖର ! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ। ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ କଥା। ଏଥିରେ ଭଉଣୀ (ମିତା) ଭୂମିକାରେ ସୁକାନ୍ତି ପାଢ଼ୀଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ, ବାଜି ମାରିଲେ ହାରିବ, ଫଗୁଣ ଦେଇଛି ପହିଲି ଚିଠି, ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁ।ରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।