ବମ୍ବେ : ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମାଣାଧୀନ ଫିଲ୍ମ ‘ପାନିପତ୍ ’ ଏବେ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଭିଜନ ୱାର୍ଲଡ ଫିଲ୍ମସର ମାଲିକ ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଖାସ ହେବ ଏହି ଫିଲ୍ମ।
ପ୍ରଯୋଜକ ରୋହିତ କହନ୍ତି ପାନିପତ ଯୁଦ୍ଧର ଏହି କାହାଣୀକୁ ସେ ୨୦୧୦ ମସିହାରେ ପଢିଥିଲେ। ମରାଠା ଓ ଆଫଗାନ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଗୋଟିଏଦିନରେ ଉଭୟ ପକ୍ଷରୁ ୧ ଲକ୍ଷରୁ ଅଧିକ ସୈନିକ ଶହିଦ ହୋଇଥିଲେ। କାହାଣୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏଥିଲାଗି ସେ ଯୋଜନା ପ୍ରସ୍ତୁତ କରିବା ସହ ଏବେ ଫିଲ୍ମର ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ଏହାର ବଜେଟ ୧ଶହ କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଯୋଜକ ।
ଏହି ଫିଲ୍ମ ଲାଗି ଐତିହାସିକ ପାଣ୍ଡୁରଙ୍ଗ ବଲକୱାଡେ ରିସର୍ଚ୍ଚ ୱାର୍କ କରିଥିବା ବେଳେ ସେ ସମୟର ପୋଷାକ, ଅସ୍ତ୍ରଶସ୍ତ୍ର, ପଶୁ ଓ ଲୋକଙ୍କ କଷ୍ଟ୍ୟୁମ ଡିଜାଇନ କରାଯାଇଛି। ଆଫଗାନ ସୈନିକମାନେ ସେତେବେଳେ ‘ଜମ୍ବୁରେକ୍’ ନାମକ ଏକ ଲମ୍ବା ପିସ୍ତଲ ବ୍ୟବହାର କରୁଥିଲେ, ଯାହାକୁ ଫିଲ୍ମ ଲାଗି ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। କେବଳ ସେତିକି ନୁହେଁ ମରାଠା ସେନାର ଆର୍ଟିଲେରୀ ବି ଫିଲ୍ମ ଲାଗି ନିର୍ମାଣ କରିବାକୁ ପଡିଛି ପ୍ରଯୋଜକଙ୍କୁ। ଯେଉଁଥି ଲାଗି ବିପୁଳ ବ୍ୟୟ ଭାର ବହନ କରିବାକୁ ହେଉଛି।
ଏହି ଫିଲ୍ମର ସବୁଠାରୁ ବଡ ଆକର୍ଷଣ ହେବ ଶନିବାରୱାଡା। ମରାଠା ଦୀର୍ଘ ୨୨ ବର୍ଷ ଲାଗି ଏହି ଭବ୍ୟ ଭବନ ନିର୍ମାଣ କରିଥିଲେ। ଯାହାର ଅବିକଳସେଟ୍ ଡିଜାଇନ କରାଯାଇଛି। ଯେଉଁଥିରେ ସପ୍ତମହଲା ମହଲ ବି ରହିଛି ବୋଲି ପ୍ରଯୋଜକ କହିଛନ୍ତି। ବିପୁଳ ବ୍ୟୟରେ ନିର୍ମିତ ହେଉଥିବା ଏହି ଐତିହାସିକ ଫିଲ୍ମ ରେ ସଞ୍ଜୟ ଦତ୍ତ, କିର୍ତ୍ତି ସାନନ, ଅର୍ଜୁନ କପୁର, ଜିନତ ଅମାନ, ପଦ୍ମିନୀ କୋହ୍ଲାପୁରେ ଓ ମିଲିନ୍ଦ ଗୁଣାଜୀ ପ୍ରମୁଖ ଅଭିନୟ କରୁଛନ୍ତି।
