ଭୁବନେଶ୍ବର() ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି । ଆଜି ତାଙ୍କ ମରଶରୀରକୁ ତାଙ୍କ ନିଜ କର୍ମଭୂମି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା। ଏହାପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ବିଜୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସଙ୍ଗୀତ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ହୋଇଥିବା ବେଳେ ତାଙ୍କ ଜ୍ବାଇ ମୁଖାଗ୍ନି ଦେଇଥିଲେ ।
ଗତ ମେ ମାସରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । କିନ୍ତୁ ସେ ଓଡିଶା ଫେରିଆସିବାକୁ ଚାହିବାରୁ ତାଙ୍କୁ ଜୁନ୍ ୧୪ ତାରିଖରେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ଚାକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ସେ ତାଙ୍କକ ଘରକୁ ଫେରିଆସିଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ ସେ ପୁଣି ଗୁରୁତର ହୋଇପଡିବାରୁ କେୟାର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମାନଙ୍କ ଚେଷ୍ଟା ସତ୍ବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।