ପଡ଼ିଆରେ ଥିବା ବେଳେ ଧୋନିଙ୍କର ଫ୍ୟାନ୍ ଫଲୋୟର୍ସଙ୍କ ସଂଖ୍ୟା ଯେତିକି ଥିଲା, କ୍ରିକେଟ୍ ଛାଡ଼ିବା ପରେ ମଧ୍ୟ ସେତିକି ରହିଛି। ଏବେ ବି ଦର୍ଶକ ଧୋନି ଓ ତାଙ୍କ ପରିବାର ସମ୍ପର୍କରେ ଜାଣିବାକୁ ଇଚ୍ଛୁକ। ଇତି ମଧ୍ୟରେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କର ଏକ ଟ୍ଵିଟ୍ ତାଙ୍କୁ ଆଲୋଚନା ପରିସରକୁ ଟାଣିନେଇଛି। ସାକ୍ଷୀ ଟ୍ଵିଟ୍ କରି ବିଜୁଳିକାଟ୍ ଯୋଗୁଁ ବିରକ୍ତ ହୋଇପଡ଼ିଥିବା କହିଛନ୍ତି। ସେ ଲେଖିଛନ୍ତି ଯେ ‘‘ରାଞ୍ଚିରେ ପ୍ରତିଦିନ ୪ରୁ ୭ଘଣ୍ଟା ପର୍ଯ୍ୟନ୍ତ ପାଓ୍ଵାରକଟ୍ ହେଉଛି।
ଆଜି ମଧ୍ୟ ୫ ଘଣ୍ଟା ହେଲା ଏଠାରେ ଲାଇନ୍ ନାହିଁ। ଏବେ ପାଗ ଭଲ ଥିବା ବେଳେ କୌଣସି ପୂଜାପାର୍ବଣ ମଧ୍ୟ ନାହିଁ। ଆଶା କରୁଛି ବିଭାଗୀୟ କର୍ତ୍ତୃପକ୍ଷ ଏ ନେଇ ଦୃଷ୍ଟି ଦେବେ।’’ ଗୁରୁବାର ଅପରାହ୍ନ ୪ଟା ବେଳେ ସାକ୍ଷୀ ଏହି ଟ୍ଵିଟ୍ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ ଓ ୫୦୦ରୁ ଊର୍ଦ୍ଧ୍ୱ ରିଟ୍ଵିଟ୍ କରିଛନ୍ତି। କିଛି ୟୁଜର୍ସ ଏଥିରେ କମେଣ୍ଟ ଦେଇ କହିଛନ୍ତି ଯେ, ଆମ ନେତା ରାକ୍ଷୀ ଭାବିଙ୍କ ଭଳି ହେବା ଦରକାର। ସେହିପରି କିଛି ୟୁଜର୍ସ ଧୋନିଙ୍କୁ ନେଇ ମଜାଳିଆ ଫଟୋ ପୋଷ୍ଟ କରିଥିଲେ।