Odia News Portal

ସମସ୍ୟାରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ

ସମସ୍ୟାରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ତାଙ୍କ ବୋରୋଧରେ ରାଞ୍ଚି କୋର୍ଟ ଏକ ଠକେଇ ମାମଲା ଦାଏର କରିଛନ୍ତି । ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରଯୋଜକ ଅଜୟ କୁମାର ସିଂ ଏହି ମାମଲା ରୁଜୁ କରିଛନ୍ତି । ଅଜୟଙ୍କ ଅଭିଯୋଗ ଅନୁସାରେ, ଅମିଶା ତାଙ୍କଠାରୁ ଉଧାର ନେଇଥିବା ଅଢେଇ କୋଟି ଟଙ୍କା ଏ ପର୍ଯ୍ୟନ୍ତ ଫେରସ୍ତ କରିନାହାନ୍ତି । ଗତବର୍ଷ ଅମିଶା ତାଙ୍କ ଫିଲ୍ମ ଦେଶୀ ମ୍ୟାଜିକ ପାଇଁ ଏହି ଟଙ୍କା ଉଧାର ନେଇଥିଲେ ।

ସେବେଠାରୁ ସେ ଟଙ୍କା ଫେରସ୍ତ କରିବା ବାବଦରେ କୌଣସି ବି କଥା ଉଠାଉନାହାନ୍ତି, ଯେଉଁ କାରଣରୁ ଆମେ ରାଞ୍ଚି କୋର୍ଟରେ ତାଙ୍କ ବିରୋଧରେ ୩ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛୁ ବୋଲି ଅଜୟ କହିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୭ରେ ଆମେ ଯେତେବେଳେ ଫିଲ୍ମ ଉପରେ କଥା ହେଇଥିଲୁ ସେତେବେଳେ ଆମର ପ୍ରଥମ ଥର ଦେଖା ହେଇଥିଲା । ଫିଲ୍ମର ପାଖାପାଖି ଅଧାରୁ ଅଧିକ ଭାଗ ସୁଟିଂ ହୋଇସାରିଥିଲା, ହେଲେ ବଜେଟ କମ ଯୋଗୁ ଫିଲ୍ମକୁ ଅଧାରୁ ବନ୍ଦ କରିବାକୁ ପଡିଲା । ଯାହା ପରେ ମୁଁ ଫିଲ୍ମ ପାଇଁ ଅଢେଇ କୋଟି ଟଙ୍କା ଧାର ଦେଇଥିଲି । କିନ୍ତୁ ଅମିଶା ଟଙ୍କା ନେଇ ସାରିବା ପରେ ଆଉ ଧରାଛୁଆଁ ଦେଉ ନାହାନ୍ତି ।

ମୁଁ ଚେକ ଦ୍ୱାରା ଅନେକ ଥର ତାଙ୍କୁ ଟଙ୍କା ମାଗିଥିଲି, କିନ୍ତୁ ତାଙ୍କ କଥାବାର୍ତ୍ତାରେ ପୂରା ପରିବର୍ତ୍ତନ ଦେଖିବାକୁ ପାଇଲି । ସେଥିପାଇଁ ମୁଁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଲି । ଏବେ ତାଙ୍କୁ ଜୁଲାଇ ୮ ପୂର୍ବରୁ କୋର୍ଟରେ ହାଜର ହେବାକୁ ପଡିବ । ଯଦି ଏହାକୁ ସେ ନ ମାନନ୍ତି, ତା ହେଲେ ତାଙ୍କ ନାଁରେ ୱାରେଣ୍ଟ ବି ଜାରି କରାଯାଇ ପାରେ ବୋଲି ଅଜୟ କହିଛନ୍ତି । ସେପଟେ ଅମିଶା ଏହି ମାମଲା ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।