ମୁମ୍ବାଇ () : ଜଣାଶୁଣା ଅଭିନେତ୍ରୀ ଶମ୍ମା ସିକନ୍ଦର ସଫଳତାର ଶୀର୍ଷରେ । ସେ ନିଜକୁ ଏବେ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରୁଛନ୍ତି | କିନ୍ତୁ ‘ମି ଠୁ’ ଅଭିଯାନକୁ ଦୃଷ୍ଟିରେ ରଖି ସେ ନିଜ ଅତୀତ ଦିନର କଥା ମାନେ ପକାଇ ଫିଲ୍ମ ଇଣ୍ଡଟ୍ରିର ଏକ ଅନ୍ଧାରୀ ଦିଗ ସମ୍ପର୍କରେ ସୂଚନା ଦେଇଛନ୍ତି | ମାତ୍ର 14 ବର୍ଷ ବୟଷରେ ଶମ୍ମା ସିକନ୍ଦର ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ବି ନିଜ ବୟସଠାରୁ ଅଧିକ ବଡ ଦେଖାଯାଉଥିଲେ | ଘରର ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ପାଠ ନପଢି ସେ ପାଦ ଦେଇଥିଲେ ଏଇ ଚିକମିକ ଦୁନିଆରେ | ଅର୍ଥ ପାଇଁ ଏହି ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବାହାରିଥିଲେ|
ଆରମ୍ଭ ଦିନଗୁଡିକରେ ସେ କେମିତି ଯୌନ ଶୋଷଣର ଶିକାର ହୋଇଥିଲେ ସେ କଥା ମନେପକାଇ ଆଜି ବି ଶମ୍ମା ଘୃଣା କରୁଛନ୍ତି କିଛି ଲୋକଙ୍କୁ | ପାର୍ଟିକୁ ଗଲାବେଳେ ସୁଟିଂ ସେଟରେ ବିଭିନ୍ନ ଲୋକ ଆସି ତାଙ୍କ ପିଠି ଓ ଜଙ୍ଘରେ ହାତ ମାରି ଚାଲିଯାଉଥିଲେ | ବୟସ ଅଳ୍ପ କାରଣରୁ ପ୍ରଥମେ ପ୍ରଥମେ ଏଭଳି ସ୍ପର୍ଶର ଅର୍ଥ ସେ ବୁଝିପାରୁନଥିଲେ | କିନ୍ତୁ ଧୀରେ ଧୀରେ ଜାଣିଲେ ଯେ, ବିକୃତ ଯୌନ ପିପାସୁଙ୍କର କାମନା ଚରିତାର୍ଥ କରିବା ପାଇଁ ଏହା ଏକ ମାଧ୍ୟମ | କେବଳ ସେତିକି ନୁହେଁ କେହି କେହି ତାଙ୍କୁ ଦ୍ବିଅର୍ଥବୋଧକ କଥା କହନ୍ତି | ପ୍ରଥମେ ପ୍ରଥମେ ସେ ତାହା ଜାଣିପାରୁନଥିଲେ | କିନ୍ତୁ ପରବର୍ତ୍ତୀ ସମୟରେ ସେଭଳି ଲୋକଙ୍କଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିଥିଲେ |
ଜଣେ ପ୍ରଯୋଜକ ଶମ୍ମାଙ୍କୁ କହିଥିଲେ ଯେ, ଶମ୍ମାଙ୍କ ଚେହେରା ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଚେହେରା ସହ ସାମଞ୍ଜସ୍ୟ ରହିଛି | ତେଣୁ ଧୀରେ ଧୀରେ ଶମ୍ମାଙ୍କ ଚେହେରାକୁ ସେ ଭଲପାଇ ବସିଲେଣି | ଶମ୍ମାଙ୍କୁ ସମ୍ପୃକ୍ତ ପ୍ରଯୋଜକ ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ନିବେଦନ କରିଥିଲେ | ଶମ୍ମା ଏଥିରେ ଅସହମତ ହେବାରୁ ପ୍ରଯୋଜକ ତାଙ୍କୁ ବିଜ୍ଞାପନ ଫିଲ୍ମରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି |
ଜଣେ ଅଭିଜ୍ଞ କେଶ ପ୍ରସାଧିକା ତାଙ୍କୁ କହିଥିଲେ ଯେ, ଇଣ୍ଡଷ୍ଟ୍ରିରେ ଯଦି ରହିବାର ଅଛି ତାହେଲେ ଏତେ ନଖରାମି ଦେଖାଇଲେ ଚାଲିବ ନାହିଁ | ତାଙ୍କୁ ବିଲକୁଲ କାମ ମିଳିବନି | ନିଜ କ୍ୟାରିଅର ଭିତରେ ଏମିତି ଘଟଣା ଅନେକ ଘଟିଛି | ଅନେକଥର କଂପରମାଇଜ ନକରିବା କାରଣରୁ ତାଙ୍କୁ ବଡ ବଡ ପ୍ରୋଜେକ୍ଟ ହାତଛଡା କରିବାକୁ ପଡିଛି ବୋଲି ଶମ୍ମା କହିଛନ୍ତି |