Odia News Portal

କଙ୍ଗନାଙ୍କ ଅଫିସ ଭାଙ୍ଗିବା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ() ଅଭିନେତ୍ରୀ କଙ୍ଗନା ରଣାବାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି । କଙ୍ଗନା ମହାରାଷ୍ଟ୍ର ସରକାର ଓ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁମ୍ବାଇ ଫେରିବାକୁ ଘୋଷଣା କରିଥିଲେ । ଇତି ମଧ୍ୟରେ ଵୃହନମୁମ୍ବାଇ ମହାନଗର ପାଳିକା (ବିଏମସି) ଆକ୍ସନ ମୋଡ଼କୁ ଆସିଛି ।

କଙ୍ଗନା ରାନାୱତଙ୍କ ଅଫିସ ଭାଙ୍ଗିବା ପାଇଁ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୁମ୍ବାଇର ପାଲି ହିଲରେ ଥିବା କଙ୍ଗନାଙ୍କ ଅଫିସ ବେଆଇନ ବୋଲି ବିଏମସି ନୋଟିସ ଦେଇଛି । ଏହାକୁ ଭାଙ୍ଗିବା ପାଇଁ ଜେସିବି ମେସିନ ଓ ହାତୁଡ଼ି ଧରି ବିଏମସି କର୍ମଚାରୀ ପହଁଚି ଯାଇଥିବା ଜାଣିବାକୁ ମିଳିଛି ।

ମଙ୍ଗଳବାର ବିଏମସି ଅଧିକାରୀମାନେ ଯାଇ ନୋଟିସ ଦେଇଛନ୍ତି । ତେବେ କଙ୍ଗନାଙ୍କ ଅଫିସ କର୍ମଚାରୀମାନେ ଏହି ନୋଟିସ ରଖିନଥିଲେ । ଫଳରେ ବିଏମସି ପକ୍ଷରୁ ଅଫିସ ବାହାରେ ନୋଟିସ ଲଗାଇ ଦିଆଯାଇଥିଲା । ଅଫିସ କାର୍ୟ୍ୟ ତୁରନ୍ତ ବନ୍ଦ କରିବା ପାଇଁ ନୋଟଇସ ଦିଆଯିବା ସହ କେତେକ ଅଂଶ ଭାଙ୍ଗିବା ପାଇଁ ପ୍ରସ୍ତୁତି କରାଯାଇଥିବା ସଂକ୍ରାନ୍ତରେ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସେପଟେ ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ସେ ଆସିବା ପୂର୍ବରୁ ମହାରାଷ୍ଟ୍ର ସରକାର ଓ ତାଙ୍କ ଗୁଣ୍ଡା ତାଙ୍କ ଅଫିସ ବାହାରେ ପହଞ୍ଚି ସାରିଛନ୍ତି ଏବଂ ଅଫିସ ଭାଙ୍ଗିବାକୁ ପ୍ରସ୍ତୁତି କରୁଛନ୍ତି । କଙ୍ଗନା ବୁଧବାର ସେଯାକେ ନିଜ ଅଫିସ ବାହାରର ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, ‘ମୁଁ ମହାରାଷ୍ଟ୍ରର ସମ୍ମାନ ପାଇଁ ରକ୍ତ ଦେବା ପାଇଁ ପ୍ରତିଶୃତି ହେଉଛି । ଏହା କିଛି ନୁହେଁ, ଚାହିଁବ ଯଦି ସବୁ ଛଡେଇ ନେଇପାରିବ, କିନ୍ତୁ ମୋ ଭାବନା ଲଗାତାର ଉଚ୍ଚତର ହେବ ।’